ମହିଳାଙ୍କୁ ହତ୍ୟା ଘଟଣା : ଠିକାଦାର କାଟିଛି ତଣ୍ଟି!

ଛୁରି, ପନିକି, ଆଧାରକାର୍ଡ ଜବତ, ରକ୍ତ ନମୁନା ନେଲା ସାଇଣ୍ଟିଫିକ୍‌ ଟିମ୍‌

ଭୁବନେଶ୍ୱର : ଅଶୋକନଗର ସ୍ଥିତ କାଳୀବାଡ଼ି ବସ୍ତିରେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା ଘଟଣାର ଗୁମର ଖୋଲିଛି କ୍ୟାପିଟାଲ ଥାନା ପୁଲିସ। ତେବେ ମହିଳାଙ୍କୁ ତାଙ୍କ ସ୍ୱାମୀ ନୁହେଁ ବରଂ ଠିକାଦାର ହତ୍ୟା କରିଥିବା ପୁଲିସ କହିଛି।  ମହିଳା ଜଣଙ୍କ ହେଲେ ଖୋର୍ଧା ଜିଲ୍ଲା ବାଣପୁର ନଈରୀ ଅଞ୍ଚଳ ସୀତା ଦେଇ ଓରଫ ସୀତା ବେହେରା(୪୫)। ଠିକାଦାର ଜଣଙ୍କ ମଧ୍ୟପ୍ରଦେଶର ଶୁକଦେବ  କୋବାଟି ବୋଲି ପୁଲିସ  କହିଛି।  ବାକି ଟଙ୍କା ମାଗିବାକୁ  ନେଇ ଠିକାଦାର ଶୁକଦେବ ଏପରି ହତ୍ୟା କରିଥିବା ପୁଲିସ ଅନୁମାନ କରିଛି। ପୁଲିସ ଘଟଣାସ୍ଥଳରୁ ଏକ ପନିକି, ଆଧାରକାର୍ଡ ଓ ଛୁରି ଜବତ କରିଛି।

ସୂଚନା ମୁତାବକ, ଗତ ୪ମାସ ହେବ  ସୀତା ଶୁକଦେବ ଅଧୀନରେ କାମ କରୁଥିଲେ। ତାଙ୍କ ବ୍ୟତୀତ ଶୁକଦେବଙ୍କ ଅଧୀନରେ ଅନେକ ମହିଳା ମଧ୍ୟ କାମ କରୁଥିଲେ। ସେ ମହିଳାଙ୍କୁ କାମରେ ଲଗାଇ ଠିକ୍‌ ଭାବେ ମଜୁରି ଦେଉ ନଥିଲା। ମଜୁରି ବାବଦକୁ ଟଙ୍କା ଦେବା ପାଇଁ ଆଜି କାଲି କହି ଦିନ ଗଡ଼ାଉଥିଲା। ମାସ ମାସ ଧରି ଶ୍ରମିକଙ୍କ ମଜୁରି ବାବଦକୁ ଟଙ୍କା ଦେଉ ନଥିଲା। ଯାହାକୁ ନେଇ ବିଭିନ୍ନ ସମୟରେ ଶ୍ରମିକଙ୍କ ସହ ତା’ର ପାଟିତୁଣ୍ଡ ହେଉଥିଲା। ତେଣୁ ନିଜକୁ ଶ୍ରମିକଙ୍କଠାରୁ ଲୁଚାଇବା ପାଇଁ  ସେ ଗୋଟିଏ ଜାଗାରେ ନ ରହି ବାରମ୍ବାର ସ୍ଥାନ ବଦଳାଉ ଥିଲା। ତେବେ ଗତ ୧୫ ଦିନ ତଳେ ଠିକାଦାର ଶୁକଦେବ କାଳୀବାଡ଼ି ବସ୍ତିରେ ଏକ ଘର ଭଡ଼ାନେଇ ରହୁଥିଲା।  ମହିଳାମାନେ ଶୁକଦେବର ଠିକଣା ପାଇବା ପରେ ସେଠାକୁ ଆସି ଟଙ୍କା ମାଗୁଥିଲେ। ରବିବାର ସକାଳେ ସୀତା ଶୁକଦେବ ପାଖକୁ ଆସି ମଜୁରି ବାବଦରେ ବାକିଥିବା ଟଙ୍କା ମାଗିଥିଲେ। ଏଥିରେ ଶୁକଦେବ ରାଗି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ସୀତା ପ୍ରତିବାଦ କରିବାରୁ ସେ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସୀତାଙ୍କ ଗଳାକୁ କାଟି ଦେଇଥିଲା। ଏହାପରେ ଘର ବାହାର ପଟୁ ବନ୍ଦ କରି ଫେରାର୍‌ ହୋଇଯାଇଥିଲା।

ରବିବାର ଦିନ ତମାମ ଘର ଖୋଲା ଥିଲେ ମଧ୍ୟ କେହି ବାହାରକୁ ନ ବାହରିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଝରକା ପଟେ ଦେଖିବା ବେଳକୁ ଭିତରେ ଜଣେ ମହିଳା ଶୋଇ ରହିଥିଲେ। ଯେତେ ଡାକିଥିଲେ ମଧ୍ୟ ଜବାବ ଦେଇ ନଥିଲେ। ସନ୍ଧ୍ୟାରେ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ସହ ମହିଳାଙ୍କ ରକ୍ତାକ୍ତ ଶବ ଉଦ୍ଧାର କରିଥିଲା। ବିଳମ୍ବିତ ରାତିରେ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିବା ସହିତ ସେଠାରୁ ଏକ ଛୁରି, ପନିକି ଓ ରକ୍ତ ନମୁନା ସଂଗ୍ରହ କରିଛି। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଠିକାଦାରକୁ ଗିରଫ ପାଇଁ ତନାଘନା ଜାରି ରଖିଛି।

ପୁଲିସ ଏହା ମଧ୍ୟ ଜାଣିବାକୁ ପାଇଛି, ପୂର୍ବରୁ ଶୁକଦେବ ପୁରୀ ଓ ଖୋର୍ଧାରେ ମଧ୍ୟ ମହିଳା ଶ୍ରମିକମାନଙ୍କୁ ଏଭଳି ଆକ୍ରମଣ କରିବା ସହିତ ସେମାନଙ୍କ ଘର ମଧ୍ୟ ଜାଳି ଦେଇଥିଲା। ସେଠାରୁ ଫେରାର ହୋଇ ଭୁବନେଶ୍ୱର ଚାଲି ଆସିଥିଲା ବୋଲି ଜଣେ ତଦନ୍ତକାରୀ ଅଫିସର କହିଛନ୍ତି। ଠିକାଦାର ଶୁକଦେବ ମୃତ ସୀତାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ନେଇଯାଇଛି। ସେହି ମୋବାଇଲ ଫୋନ୍‌ରୁ ସୀତାଙ୍କ ପରିବାର ଲୋକଙ୍କୁ  ପୁଲିସ ଉପସ୍ଥିତିରେ ହତ୍ୟା ଧମକ ଦେଉଛି। ଏ ସଂପର୍କରେ ପରିବାର ଲୋକ କ୍ୟାପିଟାଲ ଥାନା ପୁଲିସକୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର