ଗ୍ୟାଙ୍ଗଷ୍ଟାରଙ୍କୁ ବିବାହ କରିଥିବା ମହିଳା ପୁଲିସ କନେଷ୍ଟବଳଙ୍କ ସତ ସାମ୍ନାକୁ ଆସିଲା, ପୁଲିସର ଉଡିଲା ହୋସ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନୋଏଡାରେ ଜଣେ ଦୁର୍ଦ୍ଦାନ୍ତ ଅପରାଧିର ପ୍ରେମରେ ପାଗଳ ହୋଇ ଜଣେ ମହିଳା ପୁଲିସ ତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଘଟଣା କିଛିଦିନ ତଳେ ଚର୍ଚ୍ଚାରେ ରହିଥିଲା। ଏହି ଘଟଣା ପରେ ନୋଏଡା ପୁଲିସ ଉପରେ ଚଡ଼କ ପଡ଼ିଥିଲା। ଏହି ଘଟଣାକୁ ନେଇ ପୁଲିସ ଯାଞ୍ଚ ଆଦେଶ ଦେଇଥିଲା। ଯାଞ୍ଚ ରିପୋର୍ଟରୁ ଯେଉଁ ସତ ସାମ୍ନାକୁ ଆସିଛି, ତାହା ଦେଖି ପୁଲିସର ହୋସ୍‌ ଉଡି ଯାଇଥିଲା।

ରାହୁଲ ଠସରାନା ଅପରାଧୀ ଜେଲ୍‌ରେ ବନ୍ଦୀଥିବା ସମୟରେ ମହିଳା ପୁଲିସକର୍ମୀ ପାୟଲ ଡିୟୁଟି ବନ୍ଦୀଗୃହରେ ଥିଲା। ଏହି ସମୟରେ ଦୁହେଁଦୁହିଁଙ୍କୁ ଭଲ ପାଇ ବସିଥିଲେ। ଗ୍ୟାଙ୍ଗଷ୍ଟାର ଜେଲ୍‌ରୁ ମକୁଳିବା ପରେ ଦୁହେଁ ବିବାହ କରିଥିଲେ। ପାୟଲ ନାମକ ଏହି ମହିଳା ପୁଲିସକର୍ମୀଙ୍କୁ ଗ୍ରେଟର ନୋଏଡାରେ ପୋଷ୍ଟିଂ ହେବାର ଦାବି କରାଯାଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେ କେବେ ବି ପୁଲିସ ବିଭାଗରେ ଚାକିରି କରି ହିଁ ନଥିବା ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି।

ପୁଲିସ ଯାଞ୍ଚରୁ ଜଣାପଡ଼ିଛି କି, ୭ବର୍ଷ ହେବ ପୁଲିସ ପୋଷାକ ପିନ୍ଧି ପରିବାର ଓ ନିଜ ଗ୍ରାମବାସୀଙ୍କ ଉପରେ ପାୟଲ ଦାଦାଗିରି ଦେଖାଇ ଆସୁଥିଲେ। ମେରଠର ମାଓ୍ଵାନାର ତିଗରି ଗ୍ରାମରେ ବସବାସ କରୁଥିବା ପାୟଲ ପୁଲିସ ପୋଷାକ ପିନ୍ଧି ଅନେକ ଲୋକଙ୍କୁ ଠକି ଆସିଛନ୍ତି। ଏମିତିକି ପୁଲିସକୁ ବି ସେ ଛାଡ଼ି ନାହିଁ। କେବଳ ଏତିକି ନୁହେଁ, ପାୟଲର ୮ବର୍ଷ ପୂର୍ବରୁ ବିବାହ ହୋଇଥିଲା, ତାଙ୍କର ଏକ ପୁତ୍ର ସନ୍ତାନ ବି ରହିଛି।

ପାୟଲଙ୍କ ଜଣେ ଭାଇ ନୋଏଡା ଜେଲ୍‌ରେ ବନ୍ଦୀ ଥିଲେ, ଭାଇକୁ ଭେଟିବାକୁ ଯିବା ସମୟରେ ତାଙ୍କର ରାହୁଲ ଠସରାନା ସହିତ ଦେଖା ହୋଇଥିଲା। ରାହୁଲ ନାଁରେ ଜଣେ ବ୍ୟବସାୟୀଙ୍କ ହତ୍ୟା କରିଥିବା ଅଭିଯୋଗ ରହିଥିଲା । ଯେଉଁ କାରଣରୁ ତାକୁ ୨୦୧୪ ମସିହା ମେ ୯ରେ ଗିରଫ କରାଯାଇ କୋର୍ଟ ଚାଲାଣା କରାଯାଇଥିଲା। ଏହାଛଡ଼ା ରାହୁଲ ନାଁରେ ଡଜନାଧିକ ଲୁଟ୍‌ ଓ ନରହତ୍ୟା ଭଳି ଜଂଘଣ୍ୟ ମାମଲା ରହିଛି। ପୁଲିସ ଏବେ ପାୟଲଙ୍କୁ ଖୋଜିବାକୁ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର