ନୈନିତାଲ୍: ନୈନିତାଲ୍ର ଜଣେ ମହିଳାଙ୍କୁ ଉତ୍ତର୍ଖଣ୍ଡ ପୁଲିସ୍ ଗିରଫ କରିଛି। ରାଜ୍ୟର ନୈନିତାଲ୍ ଜିଲ୍ଲାର ଏହି ମହିଳା ଜଣକ ଯୌତୁକ ଲୋଭରେ ଛଦ୍ମବେଶଧାରୀ ପୁରୁଷ ହୋଇ ମହିଳାମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି ବୋଲି ଗୁରୁବାର ଜଣେ ବରିଷ୍ଟ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ନୈନିତାଲ୍ ପୁଲିସ୍ର ସିନିୟର୍ ସୁପରିଟେଣ୍ଡେଣ୍ଟ୍ ଜନ୍ମଜୟ ଖାନ୍ଦୁରି କହିଛନ୍ତି, ‘ ଉତ୍ତରପ୍ରଦେଶର ଧାମପୁରଠାରୁ ଅଭିଯୁକ୍ତ ଆଲିଆ ସୁଇଟ୍ ସେନ୍ଙ୍କୁ ହଲ୍ଦଓ୍ଵାନି ପୁଲିସ୍ ବୁଧବାର ଗିରଫ କରିଛି। ଏପରିକି ମହିଳା ଜଣକ ପୂର୍ବରୁ ଫେସ୍ବୁକ୍ରେ ଜଣେ ପୁରୁଷ ବେଶ ଧାରଣ କରି ଜଣେ ଯୁବତୀଙ୍କୁ ଫସେଇ ବିବାହ କରିଥିବାର ପୁଲିସ୍ ନିକଟରେ ସୂଚନା ହସ୍ତଗତ ହୋଇଛି।
ପୁଲିସ୍ ଦେଇଥିବା ସୂଚନା ମୁତାବକ, ସେନ୍ ୨୦୧୩ ମସିହାରୁ କ୍ରିଷ୍ଣା ସେନ୍ ନାମରେ ଫେସ୍ବୁକ୍ରେ ଏକ ଆକାଉଣ୍ଟ୍ ଖୋଲିଥିଲେ। ସେବେଠାରୁ ସେ ତାଙ୍କ ଆକାଉଣ୍ଟ୍ରେ ପୁରୁଷ ବେଶର ଫଟୋ ସବୁ ଅପ୍ଲୋଡ୍ କରି ଚାଲିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ତାଙ୍କ ଛଦ୍ମବେଶର ସହାୟ ନେଇ ଅନେକ ମହିଳାଙ୍କ ସହ ଚାଟିଂ କରିବାରେ ଲାଗିଲେ। ୨୦୧୪ ମସିହାରେ ସେ ନିଜକୁ ଆଲିଗଡ଼ର ସିଏଫ୍ଏଲ୍ ବଲ୍ବ ବ୍ୟବସାୟୀଙ୍କ ପୁଅ ବୋଲି କହି ଜଣେ ଯୁବତୀଙ୍କୁ ଫସେଇ ବିବାହ କରିଥିଲେ। ବିବାହ ପରେ ସେ ଧୋକା ଦେଇଥିବା ମହିଳାଙ୍କୁ ପିଟିବାରେ ଲାଗିଲେ। ଏପରିକି ମୀମାଂସା କରିବା ପାଇଁ ଯୁବତୀଙ୍କ ପରିବାର ଲୋକେ ସେନ୍ଙ୍କୁ ୮.୫ ଲକ୍ଷ ଟଙ୍କା ବି ଦେଇଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ସେ ଏହିପରି ଭାବେ ଆହୁରି ୨ ଜଣଙ୍କୁ ବି ବିବାହ କରିଥିଲେ। ମାତ୍ର ପୁଲିସ୍ରେ ଅଭିଯୋଗ ହେବା ପରେ ପୁଲିସ୍ ଡାକ୍ତରୀ ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ ସେନ୍ ଜଣେ ନାରୀ।