ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ସଫଦରଜଙ୍ଗ ଡାକ୍ତରଖାନା ବାହାରେ ଶନିବାର ଆନ୍ଦୋଳନ ଆରମ୍ଭ କରିଥିଲେ ଜଣେ ମହିଳା। ଉନ୍ନାଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ମହିଳା ଜଣଙ୍କ ଆନ୍ଦୋଳନ କରୁଥିବା ବେଳେ ହଠାତ୍ ନିଜ ନାବାଳିକା ଝିଅ ଦେହରେ ପେଟ୍ରୋଲ ଢ଼ାଳି ଦେଇଥିଲେ। ଏହି ଘଟଣା ପରେ ଡାକ୍ତରଖାନାରେ ଥିବା ପୁଲିସକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ମହିଳାଙ୍କୁ ହେପାଜତକୁ ନେଇଥିବା ଜଣାପଡ଼ିଛି।
ଗତକାଲି ରାତିରେ ଉନ୍ନାଓ ପୀଡ଼ିତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଶନିବାର ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ଗାଁକୁ ପଠାଯିବାର ଘଣ୍ଟାକ ପରେ ମହିଳାଜଣକ ଆସି ଡାକ୍ତରଖାନା ବାହାରେ ଆନ୍ଦୋଳନ ଆରମ୍ଭ କରିଥିଲେ।
/sambad/media/post_attachments/be68ed91297395bc5d3a724e03e83693b25d9a7d9757a510e2328953bdad1459.jpeg)
ସୂଚନା ମୁତାବକ, ଗୁରୁବାର ସକାଳ ସମୟରେ ଉନ୍ନାଓ ପୀଡ଼ିତା କୋର୍ଟରେ ଥିବା ଶୁଣାଣି ପାଇଁ ଅଦାଲତକୁ ଯାଉଥିବା ବାଟରେ ୫ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ତାଙ୍କ ଶରୀରର ୯୦ପ୍ରତିଶତ ପୋଡ଼ିଯିବା ସହ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ଲାଗି ବିମାନ ଯୋଗେ ଦିଲ୍ଲୀକୁ ଅଣାଯାଇଥିଲା। ଦୀର୍ଘ ୪୦ଘଣ୍ଟା ପର୍ଯ୍ୟନ୍ତ ମୃତ୍ୟୁ ସହ ଲଢ଼େଇ କରିବା ପରେ ଶୁକ୍ରବାର ରାତି ୧୧ଟା ୪୦ମିନିଟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।