ପ୍ରେମିକ ଦ୍ୱାରା ଦୁଷ୍କର୍ମର ଶିକାର ମହିଳାଙ୍କୁ ଉଦ୍ଧାର ପାଇଁ ଆସିଥିବା ତିନି ଯୁବକ କଲେ ଗଣ ଦୁଷ୍କର୍ମ

ରାୟପୁର: ଜନୈକା ମହିଳା ନିଜ ପ୍ରେମିକ ଦ୍ୱାରା ଦୁଷ୍କର୍ମର ଶିକାର ହେବାପରେ, ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ତିନି ଜଣ ଯୁବକ ପୁନର୍ବାର ତାଙ୍କୁ ଗଣ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏସଂପର୍କରେ ପୁଲିସ୍‌ରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ଚାରି ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାୟପୁର ସହରରେ ଥିବା ଏକ ହୋଟେଲରେ ସଂପୃକ୍ତା ୨୪ ବର୍ଷ ବୟସ୍କା ବିଧବା ମହିଳା ଜଣକ କାର୍ଯ୍ୟ କରୁଥିଲେ। ହୋଟେଲରେ କାମ କରୁଥିବା ବେଳେ ତାଙ୍କର ସୁରେଶ ସାହୁ (୨୪) ନାମକ ଜନୈକ ଯୁବକ ସହ ସଂପର୍କ ଗଢ଼ି ଉଠିଥିଲା। ଗତ ୨୩ ତାରିଖ ସନ୍ଧ୍ୟାରେ ସୁରେଶ ମହିଳା ଜଣଙ୍କୁ ବୁଲାଇବାକୁ ନେବା ବାହାନାରେ କାପା ନିକଟସ୍ଥ ଷ୍ଟେସନ ୟାର୍ଡର ଏକ ନିକାଞ୍ଚନ ସ୍ଥାନକୁ ନେଇ ଯାଇଥିଲା। ଏବଂ ସେଠାରେ ମହିଳାଙ୍କ ସହ ତାଙ୍କ ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମକାରୀ ସୁରେଶ କବଳରୁ ବଞ୍ଚିବା ପାଇଁ ମହିଳା ଜଣକ ଚିତ୍କାର କରୁଥିବା ବେଳେ ସେଠାରେ ଅନ୍ୟ ତିନି ଜଣ ଯୁବକ ଯାଇ ତାଙ୍କୁ ବଞ୍ଚାଇବା ପାଇଁ ପହଞ୍ଚି ଯାଇଥିଲେ। ତିନି ଜଣ ଯୁବକଙ୍କୁ ଦେଖିବା ପରେ ଦୁଷ୍କର୍ମକାରୀ ସୁରେଶ ମହିଳାଙ୍କୁ ସେଠାରେ ଏକୁଟିଆ ଛାଡ଼ିଦେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲା।

ଏହାପରେ ଉଦ୍ଧାର କରିବାକୁ ଯାଇଥିବା ତିନିଜଣ ଯୁବକ ମହିଳାଙ୍କୁ ବଞ୍ଚାଇବା ପରିବର୍ତ୍ତେ ମିଳିତ ଭାବେ ଗଣଦୁଷ୍କର୍ମ କରି ତାଙ୍କୁ ଅଚେତ୍‌ ଅବସ୍ଥାରେ ସେଠାରେ ପକାଇ ଦେଇ ପଳାଇ ଆସିଥିଲେ। ପରେ ଚେତା ଫେରିବା ପରେ ମହିଳା ଜଣକ ନିକଟସ୍ଥ ପାଣ୍ଡରି ଥାନାକୁ ଆସି ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ପରେ ପୁଲିସ୍‌ ପୀଡ଼ିତା ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ଘଟଣା ସଂପର୍କରେ ତଦନ୍ତ କରି ଘଟଣାରେ ସଂପୃକ୍ତ ଚାରି ଦୁଷ୍କର୍ମକାରୀ ସୁରେଶ ସାହୁ (୨୪), ହରିଶ ଚନ୍ଦ୍ରକର (୨୫), ତ୍ରିନାଥ ମହାନନ୍ଦ (୨୪) ଓ ବିନୟ ଯାଦବ (୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର