ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ

ହରିଆଣା: ଫରିଦାବାଦ୍‌ରେ ଜଣେ ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ଜଣକ ଗତକାଲି ସନ୍ଧ୍ୟା ସାଢ଼େ ୬ଟାରେ ଅଫିସରୁ ଘରକୁ ଫେରୁଥିବା ସମୟରେ ପୁରୁଣା ଫରିଦାବାଦ୍‌ର ରାଜୀବ ଗାନ୍ଧୀ ଛକ ଅଞ୍ଚଳରେ ୪ଜଣ ଦୁର୍ବୃତ୍ତ ତାଙ୍କୁ ରାସ୍ତାରୁ ଘୋଷାଡ଼ି ନେଇ ଏକ ଚଳନ୍ତା ଗାଡ଼ିରେ ୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ତାଙ୍କୁ ବଲ୍ଲଭଗଡ଼ରେ ମଥୁରା ରୋଡ୍‌ର ସିକ୍ରି ଗ୍ରାମ ନିକଟରେ ଫିଙ୍ଗି ଦେଇଥିଲେ। ପୁରୁଣା ଫରିଦାବାଦ୍‌ ଥାନାରେ ଅଭିଯୋଗ କ୍ରମେ ପୁଲିସ ଏକ ଅପହରଣ ଏବଂ ଦୁଷ୍କର୍ମ ମାମଲା ରୁଜୁ କରି ଦୁଷ୍କର୍ମକାରୀଙ୍କୁ ଠାବ କରିବା ପ୍ରୟାସ ଜାରି ରଖିଛି। ସମ୍ପୃକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଏଯାବତ୍‌ ଗିରଫ କରାଯାଇନି। ୨୩ ବର୍ଷ ବୟସ୍କ ଏହି ପୀଡ଼ିତା ଜଣକ ପ୍ରଥମେ ଘଟଣା ସମ୍ପର୍କରେ ତାଙ୍କ ଭାଇଙ୍କୁ ଜଣାଇଥିଲେ। ତାଙ୍କ ଭାଇଠାରୁ ସୂଚନା ପାଇ ପୁଲିସ ଉକ୍ତ ଅଞ୍ଚଳକୁ ଯାଇ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ବୟାନ ଅନୁଯାୟୀ, ୩ ଜଣ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଚତୁର୍ଥ ଜଣକ ଗାଡ଼ି ଚଳାଉଥିଲା।

ସମ୍ବନ୍ଧିତ ଖବର