ଯୁବସାମ୍ବାଦିକାଙ୍କ ଅଭିଯୋଗ: ପାସ୍‌ପୋର୍ଟ ଚେକ୍‌ ବେଳେ ତାଙ୍କୁ ବଳପୂର୍ବକ ଆଲିଙ୍ଗନ କଲେ ଉତ୍ତରପ୍ରଦେଶ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌

ଗାଜିଆବାଦ: ପାସ୍‌ପୋର୍ଟ ରିନ୍ୟୁଆଲ୍‌ ଭେରିଫିକେସନ୍‌ କରିବା ନିମନ୍ତେ ଗୁରୁବାର ଦିନ ଗାଜିଆବାଦସ୍ଥିତ ଜଣେ ସାମ୍ବାଦିକାଙ୍କ ଘରକୁ ଯାଇଥିବା ଜଣେ ପୁଲିସବାଲା ନିଲମ୍ବିତ ହୋଇଛନ୍ତି। ସେ ପୁଲିସବାଲା ସାମ୍ବାଦିକାଙ୍କ ଜାନୁ ଥାପୁଡ଼ାଇ ତାଙ୍କୁ ବଳପୂର୍ବକ ଆଲିଙ୍ଗନ କରିଥିବା କଥା ଅଭିଯୋଗ ହୋଇଥିଲା।

ଏ ନେଇ ଏକାଧିକ  ଟୁଇଟ୍‌ କରି ଯୁବସାମ୍ବାଦିକାଜଣକ ପୁଲିସବାଲାଙ୍କ  ଆଚରଣ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଯେ ପୁଲିସବାଲା ତାଙ୍କୁ କହିଲେ: ମୁଁ ତୁମ କାମ କରିଦେଲି। ଏବେ ତୁମେ ମତେ କ’ଣ ଦେବ?

ଦେବେନ୍ଦର ସିଂହ ନାମକ ସେ ଟ୍ରେନି ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ କରିବାକୁ ଡିଜିପି ଉତ୍ତର ପ୍ରଦେଶ ପୁଲିସକୁ କହିଛନ୍ତି।

ସାମ୍ବାଦିକା କହନ୍ତି: ଗୁରୁବାର ମଧ୍ୟାହ୍ନ ବେଳକୁ ମୋ ପାସ୍‌ପୋର୍ଟ ରିନ୍ୟୁଆଲ୍‌ର ପୁଲିସ୍‌ ଭେରିଫିକେସନ୍‌ ପାଇଁ ସିଂହ ମୋ ଘରକୁ ଆସିଥିଲେ। ମୋ ଜନ୍ମସ୍ଥାନ, ପରିବାର ସଦସ୍ୟଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପୁଲିସ ଅଧିକାରୀ ପ୍ରଶ୍ନ ପଚାରି ଥିଲେ। ଏ ସବୁ ଭେରିଫିକେସନ୍‌ର ପ୍ରକ୍ରିୟା ବୋଲି ମୁଁ ଭାବିଥିଲି।

କିନ୍ତୁ, ପରେ ପରେ କଥା ଅଲଗା ଆଡ଼କୁ ମୋଡ଼ ନେଇଥିଲା। ମୋର ମୂଳ ଠିକଣା ଗୌହାଟୀ କହିବା ପରେ ସେ କହିଲେ କି, କିଛି ବର୍ଷ ତଳେ ତାଙ୍କର ସେଠାରେ ପୋଷ୍ଟିଙ୍ଗ୍‌ ହୋଇଥିଲା। ଯଦିବା ମୁଁ ତାଙ୍କ ଠାରୁ ଯଥେଷ୍ଟ ଦୂରେଇ ବସିଥିଲି ସେ ଗୌହାଟୀ କଥାରୁ ‘ଓ! ଆମେ ବନ୍ଧୁ’ କହି ମୋ ଜାନୁ ଥାପୁଡ଼ାଇଲେ। ତାଙ୍କର ଅପ୍ରତ୍ୟାଶିତ ସ୍ପର୍ଶ ମତେ ଭଲ ନ ଲାଗିବାରୁ ମୁଁ ରୋଷେଇ ଘରକୁ ଉଠିଗଲି। ପୁଲିସ ବାବୁ ଘର ଛାଡ଼ିବା ଯାଏଁ ତାଙ୍କ ପାଖରେ ରହିବାକୁ ମୁଁ ମୋର ସହାୟକଙ୍କୁ କହିଲି। ମୋ ପାଖରେ ଘର ଟିକସ କାଗଜ ଓ ଗୌହାଟୀ ଘରର ସଠିକ ଠିକଣା ନ ଥିବାରୁ ମୁଁ ପୁଲିସବାବୁଙ୍କୁ ଘରୁ ବାହାରି ଯିବାକୁ କହି ପାରୁ ନ ଥିଲି। ସେତେବେଳେ ମୁଁ ବାପାଙ୍କ ଠାରୁ ଗୌହାଟୀ ଘରର ଠିକଣା ପଚାରି ବୁଝୁଥିଲି।

ଫର୍ମ ପୂରଣ ପରେ ଭେରିଫିକେସନ୍‌ ପ୍ରକ୍ରିୟା ଶେଷ ହେଲା ଓ ପରେ ସମ୍ପତ୍ତି ଟିକସ୍‌ର ଏକ ରସିଦ ଦାଖଲ କରିବେ ବୋଲି ସିଂହ ତାଙ୍କୁ କହିଥିଲେ। ଯିବା ବେଳେ ସେ କହିଲେ, ଏ ସବୁ ବଦଳରେ ମୁଁ ତାଙ୍କୁ କ’ଣ ଦେଇ ପାରିବି। ସେ କହିଲେ, ଏବେ ଆମେ ସାଙ୍ଗ ହୋଇ ପାରିବା ଏବଂ ମୋ ଠାରୁ ଆଲିଙ୍ଗନ ଆଶା କଲେ। ମୁଁ କହିଲି ଏଇଟା ସମ୍ଭବ ନୁହେଁ। ତେଣୁ ସେ କରମର୍ଦ୍ଦନ ପାଇଁ ହାତ ବଢ଼ାଇଲେ। ମୁଁ ମୋ ହାତ ବଢ଼ାନ୍ତେ ସେ ମୋତେ ଟାଣି ନେଇ ଜବରଦସ୍ତି ଆଲିଙ୍ଗନ କରି ପକାଇଲେ।

ଯଦି ଅଭିଯୋଗ ସତ୍ୟ ବୋଲି ପ୍ରମାଣ ହୁଏ ସିଂହଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗାଜିଆବାଦ ପୁଲିସ ମୁଖ୍ୟ ବୈଭବ କୃଷ୍ଣ କହିଛନ୍ତି।

ସମ୍ବନ୍ଧିତ ଖବର