ଶାଲିମାର୍‌ ବାଗ୍‌ରେ ବର୍ଷକର ପୁଅ ସାମ୍ନାରେ ମାଆଙ୍କୁ ଗୁଳି ମାରି ହତ୍ୟା

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଶାଲିମାର୍‌ ବାଗ୍‌ରେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ବର୍ଷକର ପୁଅ, ସ୍ୱାମୀ ପଙ୍କଜ ମେହେରାଙ୍କ ସହ ପ୍ରିୟା ମେହେରା ଗୁରୁଦ୍ୱାରରୁ ଫେରୁଥିବାବେଳେ ଏପରି ଅଘଟଣ ଘଟିଥିବା ପ୍ରକାଶ।

ମେହେରା ପରିବାର ଗୋଟିଏ କାର୍‌ରେ ଯାତ୍ରା କରୁଥିବାବେଳେ ଅନ୍ୟ ଗୋଟିଏ ଦ୍ରୁତଗାମୀ କାର୍‌ ସେମାନଙ୍କୁ ଟପି ଯାଇଥିଲା। କାର୍‌ରେ ଯାଉଥିବା ଆତତାୟୀମାନେ ବନ୍ଧୁକ କାଢ଼ି ପଙ୍କଜଙ୍କ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ପ୍ରିୟା ଗୁଳି ଚୋଟ ଖାଇଥିଲେ। ପ୍ରିୟାଙ୍କର ଦେହାନ୍ତ ହୋଇଥିବାବେଳେ ସେମାନଙ୍କ କୁନି ପୁଅ ଏବଂ ପଙ୍କଜଙ୍କର ତିଳେ ମାତ୍ର ଆହତ ନ ହୋଇ ବର୍ତ୍ତି ଯାଇଛନ୍ତି।

ଅଘଟଣ ପରେ ପ୍ରିୟାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ, ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରା ଯାଇଥିଲା। ତାଙ୍କର ମୃତ୍ୟୁ ଡାକ୍ତରଖାନାର କର୍ତ୍ତୃପକ୍ଷ ଏବଂ ପୁଲିସର ଅବହେଳାରୁ ହୋଇଛି ବୋଲି ପ୍ରିୟାଙ୍କ ପରିବାର ଅଭିଯୋଗ କରିଛନ୍ତି।

ପ୍ରିୟାଙ୍କ ପରିବାର କହିଛି ଯେ ପୁଲିସ ପହଞ୍ଚିଲେ କାମ ଆରମ୍ଭ କରିବେ ବୋଲି କହି ଡାକ୍ତରଖାନା ତାଙ୍କର ଚିକିତ୍ସା କରିବାକୁ ମନା କରି ଦେଇଥିଲେ। ସେ ଯାହାହେଉ, ସେମାନଙ୍କ ଥାନା ଅନ୍ତର୍ଗତ ଅଞ୍ଚଳ ହୋଇ ନ ଥିବା କଥା ପୁଲିସ କହିବାରୁ ଚିକିତ୍ସା ଆରମ୍ଭ କରାଯିବାରେ ଆହୁରି ବିଳମ୍ବ ଘଟିଥିଲା।

ସମ୍ବନ୍ଧିତ ଖବର