ନୂଆଦିଲ୍ଲୀ: ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ନବଜାତକୁ ତାର ମା’ ଗଳାକାଟି ହତ୍ୟା କରିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପୁଲିସ ନବଜାତ ଶିଶୁକୁ ହତ୍ୟା କରିଥିବା ହତ୍ୟାକାରୀ ମା’କୁ ଗିରଫ କରି ନେଇଛି।

Advertisment

ଏହି ଲୋମଟାଙ୍କୁରା ଘଟଣା ରାଜଧାନୀର ମୁଣ୍ଡକାର ଟିକରିରେ ବାବା ହରିଦାସ କଲୋନିରେ ଘଟିଛି।  ଏଠାରେ ବସବାସ କରୁଥିବା ଦମ୍ପତିଙ୍କର ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। କନ୍ୟା ସନ୍ତାନ ଜନ୍ମ ହେବାପରେ ମା’ ନିରାଶ ହୋଇଯାଇଥିଲା। କାରଣ ସେ ପୁତ୍ର ସନ୍ତାନ ଚାହୁଁଥିଲା। ତେଣୁ ରାଗରେ ସେ ନବଜାତକୁ ଗଳାକାଟି ହତ୍ୟା କରିଥିଲା।

ଏହାଦେଖି ସଙ୍ଗେସଙ୍ଗେ ମୃତ ଶିଶୁର ବାପା ଥାନାକୁ ଯାଇ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଶିଶୁକୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରି ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି ହତ୍ୟା ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ‘ହରିୟାଣାର ବହାଦୁରଗଡ଼ରେ ମୃତନବଜାତ ଶିଶୁର ବାପା ଏକ ଜୋତା ତିଆରି କାରଖାନାରେ କାମ କରନ୍ତି। ୨୦୧୯ରେ ସେ ନିଜର ସ୍ତ୍ରୀ , ମା’ ଓ ଭାଇ ସହିତ ଦିଲ୍ଲୀ ଆସିଥିଲେ। ଏମାନଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ତାଙ୍କ ସ୍ତ୍ରୀ ଆଉ ଏକ ପୁତ୍ର ସନ୍ତାନ ଚାହୁଁଥିଲେ। କିନ୍ତୁ ନିକଟରେ ତାଙ୍କର କନ୍ୟା ସନ୍ତାନ ଜନ୍ମ ହେବାରୁ ସେ ନିରାଶ ହୋଇ ଯାଇଥିଲେ। ଶିଶୁକୁ ୯ଦିନ ହୋଇଥିବା ବେଳେ ଘରେ କେହି ନଥିବା ବେଳେ ମା’ ତାର ଗଳା କାଟି ହତ୍ୟା କରିଥିଲେ। ’