ଚାରି ତାଲା କୋଠା ଉପରୁ ମହିଳା ଓ ତାଙ୍କ ତିନି ନାବାଳିକା ଝିଅଙ୍କୁ ଠେଲି ହତ୍ୟା

କାନପୁର: ଜଣେ ମହିଳା ଏବଂ ତାଙ୍କ ତିନି ନାବାଳିକା ଝିଅଙ୍କୁ ହତ୍ୟା କରାଯାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି। କୋଠାର ଚାରି ତାଲାରୁ ତଳକୁ ଫିଙ୍ଗାଯିବା ପୂର୍ବରୁ ସମସ୍ତଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଜଣାପଡୁଛି।

ପୀଡ଼ିତା ୩୦ ବର୍ଷୀୟ ନେହା, ୭ ବର୍ଷୀୟ ତୁଳସୀ, ୪ ବର୍ଷୀୟ ମୋହିନୀ ଏବଂ ୩ ବର୍ଷୀୟ କାଲ୍ଲୋ ସିଭିଲ୍‌ ଲାଇନ୍‌ ଅଞ୍ଚଳର କାଂସିରାମ କଲୋନିରେ ରହୁଥିଲେ।

ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବା ସମ୍ଭାବନା କଥା ପୁଲିସ ସ୍ପଷ୍ଟ କରି କହି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ ହୋଇଗଲେ ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।

କିଛି ଲୋକଙ୍କୁ ହାଜତକୁ ନେଇ ପଚରା ଉଚୁରା କରାଯାଉଛି ବୋଲି କାନପୁର ଆଇଜି ଆଲୋକ ସିଂହ କହିଛନ୍ତି।

ସେ କହିଛନ୍ତି: ଏକାଧିକ ଲୋକ ଏଇ ଅପରାଧରେ ସମ୍ପୃକ୍ତ ଥାଇ ପାରନ୍ତି। ମିଳିଥିବା ତଥ୍ୟ ଆଧାରେ ତଦନ୍ତ କରି ଆମେ ସନ୍ଦିଗ୍ଧଙ୍କୁ ପଚରା ଉଚୁରା କରୁଛୁ।

ନେହାଙ୍କ ସ୍ୱାମୀ ଚିତ୍ରଶିଳ୍ପୀ ଛୋଟେ ଜାତବ ସୋମବାର ଦିନ କାମକୁ ଯାଇ ଫେରି ନ ଥିଲେ।

ଭୋର୍‌ ପ୍ରାୟ ସାଢ଼େ ପାଞ୍ଚଟା ପରେ ରକ୍ତାକ୍ତ ହୋଇ ତିନୋଟି ଝିଅ ରାସ୍ତାରେ ପଡ଼ିଥିବା କଥା ସ୍ଥାନୀୟ ଲୋକେ ଦେଖିଥିଲେ।

ସେମାନଙ୍କ ମଧ୍ୟରୁ ତୁଳସୀ ନାମ୍ନୀ ଝିଅଟିର ସାମାନ୍ୟ ଶ୍ୱାସପ୍ରଶ୍ୱାସ ଚାଲିଥିଲା। ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦିଆଯାଇ ତାକୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ଡାକ୍ତରଖାନାରେ ପହଞ୍ଚିବାର ୧୦ ମିନିଟ୍‌ ପରେ ସେ ମରି ଯାଇଥିଲା।

ପୁଲିସ ଘରେ ପହଞ୍ଚିବା ବେଳକୁ ମହିଳାଙ୍କର ମୃତ୍ୟୁ ହୋଇ ସାରିଥିଲା। ସାମନା କବାଟ ଭିତରୁ ବନ୍ଦ ନ ଥିଲା ବୋଲି ପୁଲିସ କହିଛି। ଘରେ ବିଛାଡ଼ି ହୋଇ ପଡ଼ିଥିବା ଅଟା ଓ ବାସନକୁସନରୁ ଜଣାପଡୁଛି ଯେ ପୀଡ଼ିତା ପ୍ରତିରୋଧ କରିଥିଲା।

ଜାତବଙ୍କୁ ପଚରା ଉଚୁରା କରାଯାଇ ହାଜତକୁ ନିଆଯାଇ ଥିବା କଥା ଏଟାଓ୍ଵାହ୍‌ ଏସ୍‌ଏସ୍‌ପି ଅଶୋକ ତ୍ରିପାଠୀ କହିଛନ୍ତି।

ଆଶ୍ଚର୍ଯ୍ୟର କଥା ଘରଗୁଡ଼ିକ ଲଗାଲଗି ହୋଇ ଥିଲେ ବି ପଡ଼ୋଶୀମାନେ ଏ ସଂକ୍ରାନ୍ତରେ କେହି କିଛି ଦେଖି ବା ଶୁଣି ପାରିଲେ ନାହିଁ।
ପ୍ରତିଶୋଧ ନେବାକୁ ମହିଳା ଓ ପିଲାମାନଙ୍କୁ ହତ୍ୟା କରାଯାଇଥିବା କଥା ମଧ୍ୟ ଜଣେ ତଦନ୍ତକାରୀ କହୁଛନ୍ତି।

ସମ୍ବନ୍ଧିତ ଖବର