୪୮ଟି ଅଣ୍ଡା ପାଇଁ ଆକାଉଣ୍ଟରୁ ଗଲା ୪୮ହଜାର ଟଙ୍କା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ୪୯ଟଙ୍କାରେ ୪୮ଟି ଅଣ୍ଡା କିଣିବା ମହଙ୍ଗା ପଡ଼ିଛି। ୪୮ଟି ଅଣ୍ଡା କିଣିବାକୁ ଯାଇ ଉକ୍ତ ମହିଳା ଜଣକ ୪୮ ହଜାର ଟଙ୍କା ହରାଇ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫେବୃଆରି ୧୭ ତାରିଖରେ ଏହି ମହିଳା ଜଣକ ଏକ ଅନଲାଇନ୍ ସପିଂ କମ୍ପାନିରୁ ଇମେଲ ମାଧ୍ୟମରେ ଏକ ଅଫର ପାଇଥିଲେ। ଏହି ଅଫରଟି ଥିଲା ‘୪୯ଟଙ୍କାରେ ୪୮ଟି ଅଣ୍ଡା ପ୍ର‌ାପ୍ତ କରନ୍ତୁ।’ ଏଥିପାଇଁ ଅନଲାଇନ ପେମେଣ୍ଟ କରି ଏହି ଅଫରର ଲାଭ ଉଠାନ୍ତୁ।

ମହିଳା ଉକ୍ତ ମେସେଜ ଉପରେ କ୍ଲିକ କରିବା ପରେ କେଉଁ ଠିକଣାରେ ଅଣ୍ଡା ବିତରଣ ହେବ, ମୋବାଇଲ୍ ନମ୍ବର ସହିତ ସମସ୍ତ ବିବରଣୀ ପୂରଣ କରିବା ପାଇଁ ସ୍କ୍ରିନ ଉପରେ ଏକ ତାଲିକା ଆସିଥିଲା।  ଏହି ତାଲିକାରେ ସମସ୍ତ  ବିବରଣୀ ପୋଷ୍ଟ କରିବା ପରେ ଶେଷରେ ପେମେଣ୍ଟ ବିକଳ୍ପରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ୍ ପାଇଁ ସୂଚିତ ଥିଲା।

କ୍ରେଡିଟ କାର୍ଡର ବିବରଣୀ ଭରିବା ପରେ ମୋବାଇଲକୁ ଏକ ଓଟିପି ଆସିଥିଲା। ଏହି ଓଟିପି ସହିତ ଗ୍ରାହକ ୪୮ଟି ଅଣ୍ଡା ପାଇଁ ୪୯ ଟଙ୍କା ପୈଠ କରି ଦେଇଥିଲେ। କିଛି ସମୟ ମଧ୍ୟରେ, ଏକ ମେସେଜ ଆସିଥିଲା। ଏହି ମେସେଜ ଦେଖି ମହିଳାଙ୍କ ପାଦତଳୁ ମାଟି ଖସି ଯାଇଥିଲା। କାରଣ ଏଥିରେ ତ‌ାଙ୍କ ଆକାଉଣ୍ଟରୁ ୪୮,୧୯୯ ଟଙ୍କା କଟି ଯାଇଥିବା ସୂଚିତ ଥିଲା।

ମହିଳା ଜଣକ ଠକେଇର ଶିକାର ହୋଇଥିବା ଜାଣି ହାଇଗ୍ରାଉଣ୍ଡ ପୁଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

ସମ୍ବନ୍ଧିତ ଖବର