୧୭ ବର୍ଷିୟ ବାଳକକୁ ବିବାହ କରି ୨୨ ବର୍ଷୀୟ ଯୁବତୀ ଗିରଫ

ମୁମ୍ବାଇ: ଜଣେ ୧୭ ବର୍ଷିୟ ବାଳକକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ‘ପୋକ୍‌ସୋ’ ଆଇନ୍‌ ବଳରେ ଗିରଫ କରାଯାଇଛି। କିନ୍ତୁ, ଯୁବତୀଜଣକ ଦାବି କରୁଛନ୍ତି ସେମାନେ ଗତବର୍ଷ ବିବାହ କରିଛନ୍ତି ଏବଂ ସେମାନଙ୍କ ଦୈହିକ ସମ୍ପର୍କ ସହମତି ଭିତ୍ତିରେ ଚାଲିଛି। ଉଭୟଙ୍କ ସମ୍ପର୍କରୁ ଜନ୍ମହୋଇଥିବା ଝିଅଟିକୁ ଏବେ ୫ ମାସ ଚାଲିଛି। ଗିରଫ ଯୁବତୀଜଣକ ଜାମିନ ପାଇଁ ଆବେଦନ କରିଛନ୍ତି ଏବଂ ତାହା ଆଜି ଶୁଣାଣି କରାଯିବାର ସମ୍ଭାବନା ଅଛି। ବାଇକୁଲ୍ଲା ଜେଲ୍‌ରେ ଝିଅକୁ ସାଙ୍ଗରେ ରଖି ପାରିବ ବୋଲି ଯୁବତୀଙ୍କୁ ଅଦାଲତ ଅନୁମତି ଦେଇଥିଲା।

ବାଳକଟିର ମାଆ ଥାନାରେ ଅଭିଯୋଗ କରିଥିଲେ କି ସମ୍ପୃକ୍ତ ଯୁବତୀ ତାଙ୍କ ପୁଅକୁ ପ୍ରଲୋଭିତ କରିଛି।

ଗତବର୍ଷ ଡିସେମ୍ବର ମାସରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇଥିଲେ ବି ଏ ମାସ ପ୍ରାରମ୍ଭରେ ସେ ଯୁବତୀଙ୍କୁ ଗିରଫ କରାଯାଇଥିଲା। ୨୦୧୭ ମସିହା ନଭେମ୍ବର ୮ ତାରିଖ ଦିନ ସେମାନଙ୍କ ବାହାଘର ହୋଇଥିବା କଥା ଯୁବତୀଜଣକ କହୁଛନ୍ତି। ପୋକ୍‌ସୋ ଆଇନ୍‌ ସହ ଯୁବତୀଙ୍କ ବିରୋଧରେ ହରଣଚାଳ ଏବଂ ବାଲ୍ୟବିବାହ ଆଇନ୍‌ର ଦଫା ଲଗାଯାଇଛି।

ବାଳକଟିର ମାଆ ଡିସେମ୍ବର ୨୦୧୭ରେ ପୁଲିସ୍‌କୁ ବୟାନ୍‌ ଦେଇଥିଲେ କି, ନଭେମ୍ବର ୨୩ ତାରିଖ ରାତି ୧୦ଟା ବେଳେ ଯୁବତୀଜଣକ ପିତାମାତା ଓ ଭାଇଙ୍କ ସହ ତାଙ୍କ ଘରକୁ ଆସି କହିଲେ କି, ସେ ତାଙ୍କ ପୁଅକୁ ବାହା ହୋଇଛନ୍ତି। ତେଣୁ ଏବେ ତାଙ୍କ ଘରେ ରହିବାକୁ ଆସିଛନ୍ତି।
ବାଳକଟିର ମାଆ ଓ ବାପା ଏହାକୁ ବିରୋଧ କରିବାରୁ ଯୁବତୀଜଣକ ତାଙ୍କୁ ଗାଳିଗୁଲଜ କରିବା ସହ ନିଜେ ଜୀବନ ହାରିବେ ବୋଲି କହିଲେ। ରାତି ପ୍ରାୟ ୧୧ଟା ବେଳେ ସେମାନେ ଫେରିଯିବା ପରେ ପରେ ବାଳକଟି ମଧ୍ୟ ଘରଛାଡ଼ି ଚାଲିଗଲା ଏବଂ ଫେରିବାକୁ ମନା କଲା। ବାଳକର ମାଆ ଦାବି କରୁଛନ୍ତି ଯେ ସେ ଯୁବତୀଜଣକ ପୂର୍ବରୁ ଦୁଇଥର ବାହା ହୋଇ ଛାଡ଼ପତ୍ର ଦେଇଛନ୍ତି।

ବାଳକର ମାଆ କହନ୍ତି ତାଙ୍କର ୨୦ ଓ ୧୮ ବର୍ଷର ଦୁଇଟି ଝିଅ ଅଛନ୍ତି ଏବଂ ତାଙ୍କ ପୁଅକୁ ୧୭ ବର୍ଷ ଆଠ ମାସ। ତାଙ୍କ ପୁଅ ଓ ସେ ଯୁବତୀଙ୍କ ମଧ୍ୟରେ ୨ ବର୍ଷ ହେବ ସମ୍ପର୍କ ରହିଛି ଏବଂ ତାଙ୍କରି ଯୋଗୁଁ ସେ ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍‌ ହୋଇଛି।

ଯୁବତୀଙ୍କ ଓକିଲ ଅଦାଲତକୁ ଦର୍ଶାଇଛନ୍ତି ଯେ ଯଦି ବାଳକ-ସ୍ୱାମୀଙ୍କ ମାଆ କହିବା ଅନୁସାରେ ତାଙ୍କର ଜଣେ ଝିଅର ବୟସ ୧୮ ବର୍ଷ ତେବେ ପୁଅର ବୟସ ୧୭ ବର୍ଷ ୮ ମାସ ହେଲା କେମିତି? ତେଣୁ ତାହା ଭୁଲ୍‌।

ସମ୍ବନ୍ଧିତ ଖବର