‘ଏନ୍‌ଆର୍‌ସି’ ତଥ୍ୟ ସଂଗ୍ରହ କରୁଥିବା ଗୁଜବ ଶୁଣି ଯୁବତୀଙ୍କ ଘର ପୋଡ଼ି ଦେଲେ ଉତ୍ତ୍ୟକ୍ତ ଜନତା

କୋଲ୍‌କାତା: ‘ଏନ୍‌ଆର୍‌ସି’ ତଥ୍ୟ ସଂଗ୍ରହ କରୁଥିବା ଗୁଜବ ଶୁଣି ବୁଧବାର ଦିନ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଉତ୍ତ୍ୟକ୍ତ ଜନତା ଜଣେ ୨୦ ବର୍ଷୀୟ ଯୁବତୀଙ୍କ ଘର ପୋଡ଼ି ପକାଇଛନ୍ତି।

ଘଟଣାଟି ଘଟିଛି ମଲ୍ଲାରପୁର ଥାନା ଅନ୍ତର୍ଗତ ଗୌରବଜାର ଗାଁରେ। ଘରପୋଡ଼ା ଯିବା ପରେ ଚୁମ୍‌କି ଖାତୁନ ନାମକ ସେ ଯୁବତୀ ଏବଂ ତାଙ୍କ ପରିବାର ଏବେ ପୁଲିସ ତତ୍ତ୍ୱାବଧାନରେ ଅଛନ୍ତି।

କିନ୍ତୁ, ‘ଏନ୍‌ଆର୍‌ସି’ ସହ ଏ ଘଟଣାର ସମ୍ପୃକ୍ତି ଥିବା କଥା ପୁଲିସ ଅସ୍ୱୀକାର କରିଛି।

ଚୁକ୍ତିଭିତ୍ତିରେ ଖାତୁନ ଗୋଟାଏ ଏନ୍‌ଜିଓ ନିମନ୍ତେ କାମ କରୁଥିଲେ। ଗୋଟାଏ ଅନ୍‌ଲାଇନ୍‌ ଫାର୍ମ ସହ ଭାଗିଦାର ହୋଇ ଏହି ଏନ୍‌ଜିଓ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ମାର୍ଟଫୋନ୍‌ର ଫଳପ୍ରଦ ବ୍ୟବହାର ସମ୍ବନ୍ଧରେ ତାଲିମ ଦେଉଥିଲା। ତାଲିମର ଅଂଶସ୍ୱରୂପ ଖାତୁନ କିଛି ସାଧାରଣ ତଥ୍ୟ ସଂଗ୍ରହ କରୁଥିଲେ।

ରାମପୁରହାଟର ସବ୍‌-ଡିଭିଜ୍‌ନାଲ୍‌ ପୁଲିସ ଅଫିସର୍‌ ସୌମାଜିତ ବରୁଆ କହନ୍ତି: ଏଥିରେ ‘ଏନ୍‌ଆର୍‌ସି’ ସହ କୌଣସି ସମ୍ପୃକ୍ତି ପାଇଲୁ ନାହିଁ। ଛୋଟକାଟିଆ ଗ୍ରାମ୍ୟ ବିବାଦ ଯୋଗୁଁ ଘଟଣାଟି ଘଟିଛି। ଆମେ ତଦନ୍ତ ଆରମ୍ଭ କରିଛୁ। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ସମ୍ବନ୍ଧିତ ଖବର