ବାହାରକୁ ବୁଲି ଯାଇଥିବା ବେଳେ ଫେସ୍ବୁକ୍ରେ ନିଜର ଲୋକେସନ ସେୟାର କରୁଥିଲେ ମହିଳା, ଘରେ ପହଞ୍ଚିବା ପରେ ଉଡ଼ିଗଲା ହୋସ୍ !
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ବାରମ୍ବାର ନିଜ ଫେସ୍ବୁକରେ ନିଜର ଲୋକେସନ ସେୟାର କରିବା ଭାରି ପଡ଼ିଛି । ଆର୍ଟି ନଗରରେ ରହୁଥିବା ମହିଳା ଜଣକ ବାହାରକୁ ବୁଲିବାକୁ ଯାଇଥିବା ବେଳେ ନିଜ ପ୍ରତି ଘଣ୍ଟାର ଖବର ସହ ନିଜର ଲୋକେସନ ଫେସ୍ବୁକ୍ରେ ସେୟାର କରିଥିଲେ । କିଛି ଘଣ୍ଟା ପରେ ଘରକୁ ଫେରି ସେ ଯାହା ଦେଖିଥିଲେ ତାହା ତାଙ୍କ ଆଖିକୁ ବିଶ୍ୱାସ ହୋଇ ନ ଥିଲା । ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇ ଯିବା ସହ ତାଙ୍କ ସ୍କୁଟି ମଧ୍ୟ ଚୋରି ହୋଇ ଯାଇଥିଲା । ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ମହିଳାଙ୍କ ଫେସ୍ବୁକ୍ ଷ୍ଟାଟସ ଦେଖି ସେ କେଉଁଠି ଅଛନ୍ତି ତାହା ଜାଣିବା ପରେ ଚୋରମାନେ ଘରେ ପଶି ଚୋରି କରିଥିଲେ ବୋଲି ଜଣା ପଡ଼ିଥିଲା ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ପ୍ରେମଲତା ତାଙ୍କ ଭାଇଙ୍କ ସହ ଆର୍ଟି ନଗରରେ ରହି ଆସୁଥିଲେ । ରବିବାର ଛୁଟି ଥିବାରୁ ସେ ନିଜ ପରିବାର ଲୋକଙ୍କ ସହ ତାମିଲନାଡ଼ୁ ବୁଲିବାକୁ ଯାଇଥିଲେ । ଯେଉଁଠି ସେ ପ୍ରତି ସେକେଣ୍ଡର ଖବର ଫେସ୍ବୁକ୍ରେ ସେୟାର କରିଥିଲେ । ବୁଲିବା ସାରି ଘରକୁ ଫେରିବା ପରେ ଦେଖିଲେ ୫ ଲକ୍ଷ ଟଙ୍କାର ସୁନା ଗହଣା, ୫୭ହଜାର ଟଙ୍କା ଏବଂ ତାଙ୍କ ଗାଡ଼ି ଚୋରି ହୋଇ ସାରିଥିଲା । ତଦନ୍ତ ପରେ ଚୋର ପ୍ରେମଲତାଙ୍କ ଷ୍ଟାଟସରୁ ସେ କେଉଁଠି ଥିବା ଜାଣି ଚୋରି କରିବାର ଯୋଜନା ତିଆରି କରିଥିଲେ ବୋଲି ଜଣାପଡ଼ିଛି ।