ମହିଳାଙ୍କ ଉନ୍ମତ୍ତକାଣ୍ଡ, ଶ୍ୱଶୁରଙ୍କୁ ହତ୍ୟା; ସ୍ୱାମୀଙ୍କୁ ଛୁରାମାଡ଼

ଘରୋଇ ଝଗଡ଼ାରୁ ମରଣାନ୍ତକ ଆକ୍ରମଣ

ଅସ୍ତରଙ୍ଗ: ରାଗରେ ହିତାହତ ଜ୍ଞାନଶୂନ୍ୟ ହୋଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବରଡିହ ଗ୍ରାମରେ ଜଣେ ମହିଳା ଘଟାଇଛନ୍ତି ଲଙ୍କାକାଣ୍ଡ। ଉଗ୍ର ମହିଳା ଜଣକ ଏକ କାଠ ଫାଳିଆରେ ବାଡ଼େଇ ତାଙ୍କ ଶ୍ୱଶୁରଙ୍କୁ ମାରି ଦେଇଥିବା ବେଳେ ନିଜ ସ୍ୱାମୀ ସନ୍ଦୀପ ସାହୁଙ୍କ ପେଟରେ ଛୁରି ଭୁସି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସନ୍ଦୀପଙ୍କୁ ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ପଡିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ବୋହୂର ମରଣାନ୍ତକ ଆକ୍ରମଣରେ ଶଶ୍ୱର ଶରତ ନାୟକ ଆଖି ବୁଜିଛନ୍ତି। ଅଭିଯୁକ୍ତ ବୋହୂ ରୋଜାଲିନ୍‌ ସାହୁଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଗତ ୧୩ ତାରିଖରେ କୌଣସି କାରଣକୁ ନେଇ ସ୍ୱାମୀ ସନ୍ଦୀପ ଓ ପତ୍ନୀ ରୋଜାଲିନ୍‌ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରୋଜାଲିନ୍‌ ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇ ସ୍ୱାମୀ ସନ୍ଦୀପଙ୍କୁ ଛୁରି ଭୁସି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଡାକ୍ତରଖାନାରେ ସନ୍ଦୀପଙ୍କ ନିକଟରେ ତାଙ୍କ ପରିବାର ସଦସ୍ୟମାନେ ଥିବା ବେଳେ ଗତକାଲି ରୋଜାଲିନ୍‌ ଘଟାଇଥିଲେ ଆଉ ଏକ ଅଭାବନୀୟ କାଣ୍ଡ। ଘରେ ଏକୁଟିଆ ଥିବା ଶ୍ୱଶୁର ଶରତଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଶରତଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ରୋଜାଲିନଙ୍କ ନାମରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି। ରୋଜାଲିନ୍‌ ଫେରାର୍‌ ଥିବା ନେଇ ଅସ୍ତରଙ୍ଗ ଥାନା ଆଇଆଇସି କହୁଥିବା ବେଳେ ତାଙ୍କୁ ଭିନ୍ନ ଏକ ସ୍ଥାନରେ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର