ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା’

ଭୁବନେଶ୍ୱର: ମୋ ଝିଅକୁ ନ୍ୟାୟ ଦିଅନ୍ତୁ। ଝିଅ ମୋର ଆତ୍ମହତ୍ୟା କରି ନାହିଁ। ବରଂ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଆଜି ଏମିତି ଅଭିଯୋଗ ସହ କାନ୍ଦି କାନ୍ଦି ଜଣେ ବୃଦ୍ଧା ମହିଳା ନୂଆପଲ୍ଲୀ ଥାନା ଆଗରେ ଗଡ଼ି ଯାଉଥିଲେ। ପୁଲିସ ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ସାଲିଆସାହି ନୟାଗଡ଼ ବସ୍ତିରେ ରହୁଥିବା ଉକ୍ତ ମହିଳାଙ୍କ ନାଁ ନିରୁପମା ପଟ୍ଟନାୟକ। ଗତକାଲି ତାଙ୍କର ଝିଅ ସୁମିତ୍ରାଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିବା ଖବର ପାଇଥିଲେ। ଗତକାଲି ତାଙ୍କ ଜ୍ୱାଇଁ ବିରଞ୍ଚି ପଟ୍ଟନାୟକଙ୍କର ଫୋନ୍‌ ଆସିଥିଲା। ସେ କହିଥିଲେ ତାଙ୍କ ଝିଅ ଦୀର୍ଘ ଦିନ ଧରି ଏକ ରୋଗରେ ପୀଡ଼ିତ ଥିଲେ। ସୋମବାର ରାତିରେ ମେଡିକାଲ ନେବା ବାଟରେ ତାଙ୍କ ମୃତ୍ୟୁ ଘଟିଛି। ଏ ନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

କିନ୍ତୁ ଆଜି ସୁମିତ୍ରାଙ୍କ ମା’ ନିରୁପମା ଅଭିଯୋଗ କରିଛନ୍ତି, ୭ ବର୍ଷ ତଳେ ଦୁହେଁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଦାବି କରି ସୁମିତ୍ରାଙ୍କୁ ମାଡ଼ପିଟ କରୁଥିଲେ ଜ୍ୱାଇଁ ବିରଞ୍ଚି। ଏ ନେଇ ସୁମିତ୍ରା ବାପଘରକୁ ଜଣାଇଥିଲେ। ବାପଘର ଲୋକ ଭଦ୍ରଲୋକ ଦରି ସାହିରେ ପହଞ୍ଚି ବିଚାର ବିମର୍ଶ ଚଳାଇଥିଲେ। କିନ୍ତୁ ସମାଧାନ ହୋଇ ପାରି ନ ଥିଲା। ଏହା ପରେ ସୁମିତ୍ରା ଜାଣିବାକୁ ପାଇଥିଲେ କି ତାଙ୍କ ପତିଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଅଛି। ଯେଉଁ କାରଣରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ବିରଞ୍ଚି ରାଗ ତମତମ ହୋଇ ସୁମିତ୍ରାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯାଇ ବିଷ ପିଇ ହତ୍ୟା କରିଛନ୍ତି ବୋଲି ନିରୁପମା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର