ନୂଆଦିଲ୍ଲୀ: ପ୍ରେମରେ ପରସ୍ପର ପାଇଁ ବଞ୍ଚିବା ଏବଂ ମରିବା ପାଇଁ ଶପଥ ନେଉଥିବା ପ୍ରେମୀଯୁଗଳଙ୍କ ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ। ଆପଣ ନିଶ୍ଚୟ ଶୁଣିଥିବେ ଯେ ପ୍ରେମରେ ଥିବା ପ୍ରେମୀଯୁଗଳ ସବୁବେଳେ ପରସ୍ପର ସହ କଥା ହେବାକୁ ଚାହିଁଥାନ୍ତି। ହେଲେ ଆମେରିକାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ। ପ୍ରେମିକ ଅଧିକ କଥା ହେଉଥିବାରୁ ପ୍ରେମିକା ରାଗରେ ବିଷ ଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକାର ଫ୍ଲୋରିଡାରେ ଘଟିଛି ଏଭଳି ଅଜବ ଘଟଣା।
ସୂଚନା ଅନୁଯାୟୀ, ଆମେରିକାର ଫ୍ଲୋରିଡାରେ ଏଲଭିସ୍ ପ୍ୟାରିସ୍ (୫୪ବର୍ଷ) ତାଙ୍କ ପ୍ରେମିକ ୱିଲିୟମ୍ କାର୍ଟର (୬୧ବର୍ଷ) ଙ୍କ ସହ ରହୁଥିଲେ। କିଛି ଦିନ ପୂର୍ବରୁ, ଏଲିଭିସ୍ ୱିଲିୟମଙ୍କ ସରବତରେ ବିଷ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ଏହାର ପ୍ରଭାବରେ, ଯେତେବେଳେ ୱିଲିୟମଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା, ସେତେବେଳେ ଏଲଭିସ୍ ଭୟଭୀତ ହୋଇ ନିଜେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୱିଲିୟମକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡାକ୍ତରମାନେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିବା ବେଳେ ଏବେ ୱିଲିୟମ୍ ବିପଦରୁ ବାହାରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୱିଲିୟମ୍ କହିଛନ୍ତି ଯେ ସେ କେବେ ଭାବି ନଥିଲେ ଯେ ତାଙ୍କ ପ୍ରେମିକା ତାଙ୍କୁ ବିଷ ଦେବେ।
ତେବେ ଏହି ଘଟଣା ପରେ ଏଲଭିସ୍ ନିଜର ଦୋଷ ମାନିବା ସହ ୱିଲିୟମ୍ ଅଧିକ କଥା କହୁଥିବାରୁ ସେ ଏଭଳି କରିଥିବା ପୁଲିସକୁ କହିଛନ୍ତି।