ମୋବାଇଲରେ ବ୍ୟକ୍ତିଗତ ଫଟୋ ରଖିବା ଭାରୀ ପଡ଼ିଲା, କ୍ୟାବ୍‌ରେ ଭୁଲବଶତଃ ଫୋନ ଛାଡ଼ିବା ପରେ ଚାଳକ କଲା ଏଭଳି କାମ

ନୋଏଡ଼ା : ନୋଏଡ଼ାସ୍ଥିତ କମ୍ପାନିରେ କାମ କରୁଥିବା ଯୁବତୀଙ୍କୁ ନିଜ ଫୋନରେ ବ୍ୟକ୍ତଗତ ଫଟୋ ରଖିବା ଭାରୀ ପଡ଼ିଛି । ଏଥି ପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ଏହି ଘଟଣାକୁ ନେଇ ସାଇବର ପୁଲିସ ଅଭିଯୁକ୍ତ ଚାଳକକୁ କାବୁ କରିଥିବା ବେଳେ ଚାଳକ ନିଜ କାମ ପାଇଁ କ୍ଷମା ମାଗିଥିଲେ । ଯାହା ପରେ ସମ୍ମାନହାନି ହେବା ଭୟରେ ପୀଡ଼ିତା ଏତଲା ଦେଇ ନଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ପୀଡ଼ିତା ଘରକୁ ଫେରୁଥିବା ବେଳେ ଅନ୍ୟମନସ୍କ ହୋଇ ଫୋନ କ୍ୟାବ୍‌ରେ ଛାଡ଼ି ଆସିଥିଲେ । କ୍ୟାବ୍‌ ଚାଳକଙ୍କୁ ଫୋନ ମିଳିବା ପରେ ଫୋନରେ ସ୍କ୍ରିନ୍‌ ଲକ୍‌ ନଥିବାରୁ ଚାଳକଜଣଙ୍କ ସହଜରେ ଫୋନ ଚଳାଇ ସେଥିରେ ଥିବା ପୀଡ଼ିତାଙ୍କ ବ୍ୟକ୍ତିଗତ ଫଟୋ ଦେଖି ନେଇଥିଲେ । ଏହା ସହ ସବୁ ଫଟୋକୁ ମିଶାଇ ଏକ ଆପ୍‌ ସହାଯ୍ୟରେ ଭିଡ଼ିଓ ତିଆରି କରିଥିଲେ । ଏହି ସମୟରେ ମଧ୍ୟରେ ପୀଡ଼ିତା ନିଜର ଫୋନ ଭୁଲି ଯାଇଥିବା ଜାଣି ନିଜ ନମ୍ବରକୁ କଲ୍‌ କରିବା ପରେ ଚାଳକଜଣଙ୍କ ଫୋନ ଉଠାଇ ତାଙ୍କ ଫଟୋ ଥିବା ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇଥିଲେ । ଧମକ ପାଇ ପୀଡ଼ିତା ତୁରନ୍ତ ସାଇବର ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ପୀଡ଼ିତାଙ୍କ ଫୋନର ଲୋକେସନ ଟ୍ରାକ୍‌ କରି ଅଭିଯୁକ୍ତ ଚାଳକକୁ ଗିରଫ କରାଯାଇଥିଲା । କିନ୍ତୁ ଗିରଫ ହେବା ପରେ ନିଜ କାମ ପାଇଁ କ୍ଷମା ମାଗିବାରୁ ପୀଡ଼ିତା ତାଙ୍କ ବିରୋଧରେ ଏତଲା ରୁଜୁ କରି ନ ଥିଲେ । ସମ୍ମାନହାନି ଏହାର ମୁଖ୍ୟ କାରଣ ଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର