ନିଜର ଦୁଇ ସନ୍ତାନଙ୍କ ଉପରେ କିରାସିନ ଢ଼ାଳି ଜାଳିବା ପରେ ଆତ୍ମହତ୍ୟା କଲେ ମହିଳା

ବେଙ୍ଗାଲୁରୁ: ଜଣେ ମହିଳା ନିଜର ଦୁଇ ସନ୍ତାନଙ୍କ ଉପରେ କିରାସିନ ଢ଼ାଳି ସେମାନଙ୍କୁ ଜୀବନ୍ତ ଜାଳିଦେବା ପରେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ନିଜ ଦେହରେ ନିଆଁ ଲଗାଇଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ଏଭଳି ପଦକ୍ଷପ ନେଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁରୁବାର ଦିନ ଏହି ଘଟଣା ଘଟିଥିବା ବେଳେ ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳା ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି । ନିଆଁ ଲାଗିବା ପରେ ପଡ଼ୋଶୀମାନେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ଜଣା ପଡ଼ିଛି।

ସୂଚନା ଅନୁଯାୟୀ ମୃତ ମହିଳା ରାମ୍‌ଲାମ୍ମା ତାଙ୍କ ସ୍ୱାମୀ ମହେନ୍ଦ୍ର ଏବଂ ଦୁଇ ସନ୍ତାନ କିଛି ଦିନ ହେଲା ଆନ୍ଧ୍ରପ୍ରଦେଶରୁ ଆସି ବେଙ୍ଗାଲୁରୁରେ ରହୁଥିଲେ । ଗୁରୁବାର ମହେନ୍ଦ୍ର କୌଣସି କାମରେ ବାହାରକୁ ଯାଇଥିବା ବେଳେ ରାମ୍‌ଲାମ୍ମା ଏବଂ ଦୁଇ ସନ୍ତାନ ଘରେ ଥିଲେ । ରାମ୍‌ଲାମ୍ମା ତାଙ୍କ ପୁଅକୁ ସ୍କୁଲ ଯିବା ପାଇଁ ମଧ୍ୟ ମନା କରି ଦେଇଥିଲେ । ସ୍କୁଲ ଯିବା ବନ୍ଦ ହେବା ପରେ ରାମ୍‌ଲାମ୍ମାଙ୍କ ପୁଅ ଖୁସିରେ ବାହାରକୁ ଖେଳିବାକୁ ପଳାଇଥିଲେ । କିଛି ସମୟ ପରେ ରାମ୍‌ଲାମ୍ମା ତାଙ୍କ ପୁଅ ଝିଅଙ୍କୁ ଘର ଭିତରକୁ ଆସିବା ପାଇଁ କହିଥିଲେ । ସେମାନେ ଆସିବା ପରେ ଘରର ଭିତର ପଟୁ କବାଟ ଦେଇ ନିଜ ଦୁଇ ପୁଅ ଏବଂ ଝିଅଙ୍କ ଉପରେ କିରୋସିନ ଢ଼ାଳି ଜାଳିବା ସହ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଘର ଭିତରୁ ଧୂଆଁ ବାହାରିବା ପରେ ପଡ଼ୋଶୀମାନେ ସନ୍ଦେହ କରି କବାଟ ବାଡ଼େଇବା ପରେ ଭିତରପଟୁ କବାଟ ଦିଆ ଯାଇଥିବାର ଦେଖିଥିଲେ ।
ଏ ନେଇ ପୋଲିସକୁ ସୂଚନା ଦିଆଯିବା ସହ ଘରର କବାଟ ଭାଙ୍ଗି ସେମାନଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠି ପହଞ୍ଚିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ରାମ୍‌ଲାମ୍ମାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ । ତେବେ ଏହା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ି ନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

ସମ୍ବନ୍ଧିତ ଖବର