ମହିଳାଙ୍କ ଝୁଲନ୍ତା ଶବ ଜବତ, ବାପା ଆଣିଲେ ହତ୍ୟା ଅଭିଯୋଗ, ସ୍ବାମୀ ଓ ଶ୍ବଶୁର ଗିରଫ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ପୂରଣ ପଧାନ ଗ୍ରାମରେ ଘରଭଡ଼ା ନେଇ ରହୁଥିବା ମଦନ ପଟ୍ଟନାୟକ ଓରଫ ହାପି (୨୬)ଙ୍କ ପତ୍ନୀ ରୋଜାଲିନ ବାରିକ(୨୦)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡି ପୁଲିସ ମହିଳାଙ୍କ ଝୁଲନ୍ତା ଶବ ଜବତ କରିବା ସହ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ରୋଜିଙ୍କ ସ୍ବାମୀ ହାପି ଓ ଶ୍ବଶୁର ନିମାଇଁ ଚରଣ ପଟ୍ଟନାୟକଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଅଧିକ ଯୌତୁକ ଦାବି କରି ଝିଅକୁ ହତ୍ୟା କରିଥିବା ତାଙ୍କ ବାପା ପ୍ରଦୀପ ବାରିକ ଏତଲାରେ ଦର୍ଶାଇଛନ୍ତି। ପ୍ରଦୀପଙ୍କ ଏତଲା ଆଧାରରେ ବାଲିଅନ୍ତା ଥାନାରେ କେସ୍‌ ନଂ ୭୩/୧୯ରେ ପୁଲିସ ଏକ ମାମଲା ରୁଜୁ କରି ପୁଲିସ ସ୍ବାମୀ ହାପି ଓ ଶ୍ବଶୁର ନିମାଇଁଙ୍କୁ ଗିରଫ କରିଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ରୋଜିଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଭୁବନେଶ୍ବର-ବନମାଳିପୁର ମୁଖ୍ୟ ରାସ୍ତାର ପୂରଣଠାରେ ରାସ୍ତାରୋକ କରିଥିଲେ। ଫାଣ୍ଡି ଅଧକାରୀ ଦେବେନ୍ଦ୍ର କୁମାର ସାହୁ ଓ ଥାନା ଅଧିକାରୀ ପ୍ରଦୀପ ରାଉତ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ଉଭୟ ହାପି ଓ ରୋଜିଙ୍କ ଘର ବାଲିପାଟଣା ଥାନା ଅଧୀନ ବୋଧଖଣ୍ଡି ଗ୍ରାମରେ। ୩ ମାସ ତଳେ ସେମାନେ ଗାଁରୁ ଫେରାର୍‌ ହୋଇ ଏଠାରେ ରହୁଥିଲେ। ହାପି ଅଟୋ ଚଳାନ୍ତି। ଗତକାଲି ହୋଲି ଖେଳି ସାରି ଅଟୋ ଚଳାଇବାକୁ ପଳାଇଥିଲେ। ସଂଧ୍ୟା ୭ଟାରେ ବଜାରରୁ ମାଛ ଧରି ଘରକୁ ଫେରିଥିଲେ। ମାତ୍ର ବାହାରପଟୁ କବାଟ ବନ୍ଦ ଥିଲା। ରୋଜି ଶାଢ଼ି ବାନ୍ଧି ଝୁଲୁଥିବା ସେ ଝରକା ବାଟେ ଦେଖି ପୁଲିସକୁ ଜଣାଇଥିଲେ। କିନ୍ତୁ ରୋଜିଙ୍କ ବାପଘର ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ରୋଜିଙ୍କ ବାପା ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର