ହୋଟେଲ କର୍ମଚାରୀଙ୍କ ଶବ ଉଦ୍ଧାର

ବାରଙ୍ଗ : ଜଣେ ହୋଟେଲ କର୍ମଚାରୀଙ୍କର ଶବକୁ ପୁଲିସ ଆନନ୍ଦ ବଜାର ଗୋଲେଇ ଛକ ନିକଟ ପାୟଲ ହୋଟେଲ୍‌ ପଛ ପାଖରୁ ଉଦ୍ଧାର କରିଛି। ମୃତ କର୍ମଚାରୀଙ୍କ ନାମ ଗୌତମ ମୁଖାର୍ଜୀ(୨୭)। ଘର ପଶ୍ଚିମବଂଗର ହୁଗୁଳିରେ। ସେ ସ୍ଥାନୀୟ ଦାଢ଼ାପାଟଣା ପଞ୍ଚାୟତ ବଙ୍ଗାଳୀ ସାହିରେ ମାଉସୀ ଘରେ ରହି ପାୟଲ ହୋଟେଲରେ କାମ କରୁଥିଲେ। ମଙ୍ଗଳବାର ରାତିରେ ସେ ଆତ୍ମହତ୍ୟା କରିଥିବା ହୋଟେଲ ମାଲିକଙ୍କଠାରୁ ସୂଚନା ପାଇ ପୁଲିସ ପାୟଲ ହୋଟେଲକୁ ଯାଇଥିଲା। ସେଠାରେ ଗୌତମଙ୍କ ବେକରେ କେବୁଲ ତାର ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଶବ ଉଦ୍ଧାର କରିବା ପରେ ପୁଲିସ ହୋଟେଲ ମାଲିକ ନିରୋଦ ରାଉତ ଓ ତାଙ୍କ ୩ ପୁଅଙ୍କୁ ପଚରାଉଚରା କରିଥିଲା। ଏ ନେଇ ବାରଙ୍ଗ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍‌ ପଠାଇଥିଲା।

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ଗୌତମ କୋଲକାତାର ବିରାସତ୍‌ରେ କାଜଲ ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ। ପରେ ତାଙ୍କୁ ଛାଡ଼ି ବାରଙ୍ଗ ଚାଲି ଆସିବା ପରେ କାଜଲଙ୍କର ମୃତ୍ୟୁ ହୋଇଯାଇଥିଲା। ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ମୃତକଙ୍କ ପକ୍ଷରୁ କେହି ଥାନାରେ କିଛି ଅଭିଯୋଗ କରି ନାହନ୍ତି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର