ଲକ୍ଷ୍ମୌ: ଛତିଶଗଡ଼ର ଜଣେ ଯୁବକ ଟିକ୍ଟକ୍ ଭିଡିଓ ବନାଉଥିବା ସମୟରେ ଯୁମନା ନଦୀରେ ବୁଡ଼ି ଯାଇ ମୃତ୍ୟୁ ଘଟିଛି। ଏହି ଘଟଣା ଉତ୍ତରପ୍ରଦେଶର ମଥୁରାରେ ଶନିବାର ଘଟିଛି। ଯୁବକ ଜଣକ ବ୍ରଜ ଦର୍ଶନ ପାଇଁ ଏଠାକୁ ଆସିଥିଲେ। ଆଜି ସକାଳେ ବ୍ରହ୍ମାଣ୍ଡ ଘାଟରେ ଯମୁନାରେ ସ୍ନାନ କରିବା ସମୟରେ ଭିଡିଓ ବନାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଜୁନ୍ ୧୬ରେ ଛତିଶଗଡ଼ର ଭିଲାଇରୁ ପାଖାପାଖି ୫୫ଜଣ ଲୋକ ଦେଶର ଧାର୍ମିକସ୍ଥଳ ଦର୍ଶନ କରିବା ପାଇଁ ବାହାରି ଥିଲେ। ଏଥିରେ ୨୪ବର୍ଷୀୟ ହିତେଶ ବାସନିକ ବି ସାମିଲ ଥିଲେ। ଏହି ସମୁହ ବାରାଣାସୀ, ଅଯୋଧ୍ୟା, ହରିଦ୍ୱାର ଓ ହୃଷିକେଶ ହୋଇ ଶନିବାର ମଥୁରାରେ ପହଞ୍ଚିଥିଲା।
ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ମୃତ ଯୁବକ ପୂରା ଯାତ୍ରାରେ ସ୍ଥାନସ୍ଥାନରେ ସେଲଫି ନେବା ସହିତ ଭିଡିଓ ବନାଇ ଆସୁଥିଲା। ସେ ସୋସିଆଲ ମିଡିଆ ଆପ୍ ଟିକ୍ଟକ୍ରେ ଭିଡିଓ ବନାଉଥିଲା। ଘାଟରେ ପହଞ୍ଚି ସେ ଏଭଳି ପ୍ରକାର ଭିଡିଓ ବନାଇଥିଲା। ଠିକ୍ ସେହି ସମୟରେ ହଠାତ୍ ତାର ଗୋଡ ଖସି ଯାଇଥିଲା ଓ ଯମୁନାରେ ଯାଇ ପଡ଼ି ଯାଇଥିଲା। ଲୋକମାନେ ତାକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କରିଥିଲେ।