ଦିନ ୧୨ଟାରେ ହୋଣ୍ଡା ସିଟି ଏବଂ ୧୦ଲକ୍ଷ ଟଙ୍କା ପାଇଁ ସ୍ୱାମୀ ମାଡ଼ ମାରୁଥିଲେ, ଅପରାହ୍ନ ୩.୩୦ରେ ଆସିଲା ମୃତ୍ୟୁ ଖବର !

ଯମୁନାନଗର : ଦୁଇ ମାସ ତଳେ ବିବାହ କରି ଖୁସିରେ ରହିବାର ସ୍ୱପ୍ନ ଦେଖିଥିଲେ ହରିୟାଣାର ସୁମନ । ଦୁଇ ମାସ ପରେ ତାଙ୍କର ସେହି ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ବିବାହ ପରେ ଯୌତୁକରେ ହୋଣ୍ଡା ସିଟି ଗାଡ଼ି ଏବଂ ୧୦ଲକ୍ଷ ଟଙ୍କା ଆଣି ନ ପାରିବାରୁ ନିର୍ଯାତନା ଦେଇଥିଲେ ଶାଶୁଘର ଲୋକେ । ଯାହାକୁ ସହି ନ ପାରି ସୁମନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ସୁମନଙ୍କ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ସୁମନଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ସୂମନଙ୍କ ଭାଇଙ୍କ କହିବା ଅନୁଯାୟୀ, ସୁମନ ଶୁକ୍ରବାର ଦିନ ୧୨ଟାରେ ଘରକୁ ଫୋନ କରି ତା’ର ସ୍ୱାମୀ ରବି ରାତିରେ ମଦ ପିଇ ଆସି ତାକୁ ମାଡ଼ ମାରିଥିଲା ବୋଲି କହିଥିଲା । ଯୌତୁକରେ ହୋଣ୍ଡା ସିଟି ଏବଂ ୧୦ଲକ୍ଷ ଟଙ୍କା ନ ନେଇଥିବାରୁ ତାକୁ ତା’ ସ୍ୱାମୀ ମାରୁଥିବା ସେ ମା’ଙ୍କୁ ଜଣାଇଥିଲା । ଏହି ଖବର ଜାଣିବାର କିଛି ସମୟ ହୋଇଛି କି ନାହିଁ, ଅପରାହ୍ନ ୩.୩୦ରେ ମୋ ଭଉଣୀ ଆଉ ଏ ଦୁନିଆରେ ନାହିଁ ବୋଲି ତା’ର ଶ୍ୱଶୁର ଫୋନ କରି ଜଣାଇଥିଲେ । ସୁମନ ଘରର ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି ବୋଲି ତା’ର ଶାଶୁଘର ଲୋକେ ଜଣାଇଥିଲେ । କିନ୍ତୁ ମୋ ଭଉଣୀ ଆତ୍ମହତ୍ୟା କରି ନାହିଁ । ତାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ନାଁ ଦିଆଯାଇଛି ବୋଲି ସୁମନଙ୍କ ଭାଇ ପୁଲିସରେ ଅଭିଯୋଗ କରିଛନ୍ତି ।

NDTV.com

ସୂଚନା ମୁତାବକ, ମାର୍ଚ୍ଚ ୫,୨୦୧୮ରେ ସୁମନଙ୍କ ବିବାହ ଯମୁନାନଗରରେ ରହୁଥିବା ରବିଙ୍କ ସହ ହୋଇଥିଲା । ବିବାହ ଦିନ ଯୌତୁକ ବାବଦକୁ ରବିଙ୍କୁ ଅଲ୍ଟୋ କାର୍‌ ସହ ୩ଲକ୍ଷ ଟଙ୍କା ଦିଆ ଯାଇଥିଲା । ଯେଉଁଥିରେ ରବି ଖୁସି ନଥିଲେ । ରବି ଯୌତୁକରେ ହୋଣ୍ଡା ସିଟି କାର୍‌ ଏବଂ ୧୦ଲକ୍ଷ ଟଙ୍କା ନେବେ ବୋଲି ଭାବିଥିଲେ । ଯେଉଁଥି ପାଇଁ ସେ ସୁମନଙ୍କୁ ପ୍ରତିଦିନ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ବିବାହ ପରେ ସୁମନ ପ୍ରଥମ ଥର ପାଇଁ ଘରକୁ ବୁଲି ଆସିଥିବା ବେଳେ ପରିବାର ଲୋକେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଏ ବିଷୟରେ ଜାଣି ସେମାନେ ରବିଙ୍କୁ ବୁଝାଇବା ପରେ ଆଗକୁ ଏପରି ହେବ ନାହିଁ କହି ରବି ଏବଂ ତାଙ୍କ ବାପା ସୁମନଙ୍କୁ ନିଜ ଘରକୁ ନେଇ ଯାଇଥିଲେ । କିନ୍ତୁ ପରେ ସେମାନେ ସୁମନଙ୍କୁ ଆହୁରି ନିର୍ଯାତନା ଦେବାକୁ ଲାଗିଥିଲେ । ଯାହା ଫଳରେ ସୁମନ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଏ ନେଇ ଏବେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରକୃତ ଘଟଣା ସାମ୍ନାକୁ ଆସି ନାହିଁ ।

ସମ୍ବନ୍ଧିତ ଖବର