ଅସଦାଚରଣରୁ ବଞ୍ଚିବାକୁ ଯାଇ ପ୍ରାଣ ବିକଳରେ ଚଳନ୍ତା ଅଟୋରୁ ଡେଇଁଲେ ମହିଳା

କୋଲକାତା : ରବିବାର ଦିନ କୋଲକାତାର ଢ଼ାକୁରାଇ ଏବଂ ଯାଦବପୁର ପୁଲିସ ଷ୍ଟେସନ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଭିଡ଼ ରାସ୍ତାରେ ମଧ୍ୟ କାହାର ସହାୟତା ନ ପାଇ ଦୁଷ୍କର୍ମରୁ ବଞ୍ଚିବା ପାଇଁ ଚଳନ୍ତା ଅଟୋରୁ ଡ଼େଇଁଛନ୍ତି ୨୫ ବର୍ଷିୟ ମହିଳା । ମହିଳାଙ୍କୁ ଅଟୋରେ ଯାତ୍ରା କରୁଥିବା ସହଯାତ୍ରୀ ଅସଦାଚରଣ କରିବା ଅଭିଯୋଗ କରିଛନ୍ତି । ଅଟୋ ଚାଳକଙ୍କୁ ଅଟୋ ଅଟକାଇବା ପାଇଁ କହିବା ପରେ ମଧ୍ୟ ସେ ଅଟକି ନଥିଲେ ଯାହା ଦ୍ୱାରା କିଛି ଉପାୟ ନପାଇ ନିଜ ଇଜ୍ଜତ ବଞ୍ଚାଇବା ପାଇଁ ଅଟୋରୁ ଡ଼େଇଁପଡ଼ିଥିଲେ ମହିଳା । ଏନେଇ ପୁଲିସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ବର୍ତ୍ତମାନ ଘଟଣାଟିର ତଦନ୍ତ ଚାଲିଛି ।


Indiatimes.com

ପୁଲିସ ସୂଚନା ଅନୁଯାୟୀ , ମହିଳା ଜଣକ କୋଲ୍‌କାତାର ଏକ ଏନଜିଓରେ କାର୍ଯ୍ୟ କରୁଥିବା ବେଳେ ରବିବାର ରାତିରେ ଏକ ମିଟିଙ୍ଗ ଶେଷ କରିବା ପରେ ଢ଼ାକୁରାଇର ମଧୁସୂଦନ ମାର୍ଚ୍ଚ ଠାରୁ ଅଟୋ ଯୋଗେ ଯାଦବପୁର ପୁଲିସ ଷ୍ଟେସନ ଅଞ୍ଚଳକୁ ଯାତ୍ରା କରିଥିଲେ । ମହିଳା ଜଣଙ୍କ ୧୦:୨୦ ମିନିଟରେ ଅଟୋରେ ବସିଥିବା ବେଳେ ସେଥିରେ ତାଙ୍କ ସହିତ ଆହୁରି ତିନି ଜଣ ଯାତ୍ରା କରୁଥିଲେ । ଅଟୋରେ ବସିବାର କିଛି ସମୟ ପରେ ସେ ତାଙ୍କ ଅଙ୍ଗକୁ କିଏ ପଛ ଆଡ଼ୁ ସ୍ପର୍ଶ କରୁଥିବାର ଅନୁଭବ କରିଥିଲେ । ଏହାପରେ ସେ ତାଙ୍କ ବସିବାର ଭଙ୍ଗୀ ବଦଳିଥିଲେ । କିନ୍ତୁ ଏହାର କିଛି ସମୟରେ ପରେ କିଏ ତାଙ୍କ ପୋଷାକକୁ କିଛି ଧାରୁଆ ବସ୍ତୁରେ କାଟିବାକୁ ଉଦ୍ୟମ କରୁଥିବାର ଅନୁଭବ କରିଥିଲେ। ମହିଳା ଅଟୋ ଚଳକଙ୍କୁ ଅଟକାଇବାକୁ କହିଥିଲେ । କିନ୍ତୁ ଅଟୋ ଚାଳକ ଜଣଙ୍କ କିଛି ଶୁଣିନଥିଲେ ଏବଂ ଅଟୋ ଚଳାଇବା ଜାରି ରଖିଥିଲେ । ଯେଉଁଥିରେ ମହିଳା ଜଣକ ଭୟଭୀତ ହୋଇ ନିଜର ଇଜ୍ଜତ ଏବଂ ଜୀବନ ବଞ୍ଚାଇବାକୁ ଯାଇ ଚଳନ୍ତା ଅଟୋରୁ ଡ଼େଇଁ ପଡ଼ିଥିଲେ । ମହିଳା ଜଣଙ୍କ ଆହତ ହୋଇଥିଲେ ମଧ୍ୟ ବିନା କାହାର ସାହାଯ୍ୟରେ ନିଜେ ଘରକୁ ପ୍ରତ୍ୟବର୍ତ୍ତନ କରିଥିଲେ ।
ସୋମବାର ଦିନ ମହିଳା ଘଟଣା ସମ୍ବନ୍ଧରେ ଏକ ମାମଲା ରୁଜୁ କରିବା ସହ ଅଟୋ ଏବଂ ଚାଳକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ପୁଲିସ ଆଇପିସି ଧାରା ୩୫୪-ଏ ଏବଂ ୩୫୪-ବି ଧାରା ଅନ୍ତର୍ଗତ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର