ଯୁବକଙ୍କ ଗଳିତ ଶବ ଉଦ୍ଧାର

ବିଲ ଭିତରେ ମାରି ଫିଙ୍ଗିଦେଲେ!

ଖଣ୍ଡଗିରି: ଶନିବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଏକ ବିଲ ଭିତରୁ ୩୫ରୁ ୪୦ ବର୍ଷ ବୟସ୍କ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ୪/୫ ଦିନ ତଳୁ ପଡ଼ିଥିବା ମୃତଦେହଟି ପଚିସଢ଼ି ଯାଇଥିବାରୁ ତାଙ୍କ ଦେହର କ୍ଷତଚିହ୍ନ ବାରି ହେଉନାହିଁ। କିନ୍ତୁ ଦୁଇଟି ଯାକ ହାତ ଓ ଗୋଡ଼ର କିଛି ଅଙ୍ଗୁଳି ନଥିବାରୁ ତାଙ୍କୁ କେହି ନିର୍ମମଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳ ଯାଞ୍ଚ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ଶବ ସଂରକ୍ଷଣ ଗୃହରେ ରଖିଛି।

ମୃତଦେହ ପଡ଼ିଥିବା ଖବର ପାଇ ଯାଁଳା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ଯୁବକଙ୍କୁ କେହି ହତ୍ୟା କରିଛି ବୋଲି ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। କିନ୍ତୁ କେହି ତାଙ୍କୁ ଚିହ୍ନି ପାରି ନଥିଲେ। ମୃତଦେହରେ କେବଳ କଳାରଙ୍ଗର ପ୍ୟାଣ୍ଟଟି ଥିଲା। ଏକ ନୀଳରଙ୍ଗର ବାନିଅନ୍‌ ଓ ଏକ ଗାମୁଛା ମୃତଦେହ ନିକଟରେ ପଡ଼ିଥିଲା। ବଡ଼ କଥା ହେଉଛି ମୃତଦେହର ଦୁଇଟି ଯାକ ହାତ ଓ ଗୋଡ଼ର କିଛି ଅଙ୍ଗୁଳି ନଥିଲା। ସେହିଭଳି ଶବ ନିକଟରେ ଏକ ମଦ ବୋତଲ ପଡ଼ିଥିଲା। ତେଣୁ ଯୁବକଙ୍କୁ ସେଠାକୁ ଡାକି ନେବା ପରେ ମଦ ପିଆଇ ଦୁର୍ବୃତ୍ତମାନେ ହତ୍ୟା କରିଥିିବା ସନ୍ଦେହ କରାଯାଉଛି। କିନ୍ତୁ ଘଟଣାସ୍ଥଳରେ ଲୋକେ ପହଞ୍ଚିବାବେଳକୁ ୨/୩ଟି ବୁଲା କୁକୁର ସେଠାରେ ଥିଲେ। ତେଣୁ କୁକୁରମାନେ ମୃତଦେହରୁ ହାତ ଟାଣି ନେଇଥିବା ଅନୁମାନ କରାଯାଉଛି। ମାତ୍ର ପୁଲିସ ଆଖପାଖରେ ବହୁ ଖୋଜାଖୋଜି କରିଥିିଲେ ବି ଦୁଇ ହାତ କି ଗୋଡ଼ ଅଙ୍ଗୁଳିର ଟୁକୁଡ଼ା ଅଂଶ ମିଳିନଥିଲା। ଘଟଣାସ୍ଥଳରେ ଧସ୍ତାଧସ୍ତି ଚିହ୍ନ ନଥିଲା କି ରକ୍ତର ଚିହ୍ନ ନଥିଲା। ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ଏସବୁ ଚିହ୍ନବର୍ଣ ଲିଭିଯିବା ସ୍ୱାଭାବିକ। ତେବେ ପାରିପାର୍ଶ୍ୱିକ ଅବସ୍ଥାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଳଜଳ ହୋଇ ଦିଶିଯାଉଥିଲା। ରାଜପଥରୁ ପ୍ରାୟ ୨ ଶହ ମିଟର ଦୂରରେ ଏକ ପାଚେରି ଘେରା ବିଲ ଭିତରେ ମୃତଦେହଟି ପାଚେରି କଡ଼କୁ ଲାଗି ପଡ଼ିଥିବାରୁ ହତ୍ୟା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଏଭଳି ସ୍ଥାନରେ ଜଣେ ଆତ୍ମହତ୍ୟା କରିବା ସମ୍ଭାବନା ମୋଟେ ନାହିଁ। ତାଙ୍କୁ ହତ୍ୟା କରି ପାଚେରି କଡ଼କୁ ଫିଙ୍ଗି ଦିଆଯାଇଥିବା ସ୍ପଷ୍ଟ ଜଣାପଡ଼ୁଥିଲା।

ଉଲ୍ଲେଖଯୋଗ୍ୟ ଯେ ଘଟଣାସ୍ଥଳରୁ ୨ ଶହ ମିଟର ଦୂରରେ ଜାତୀୟ ରାଜପଥ ଉପରେ ବିଳମ୍ବିତ ରାତି ଯାଏଁ କିନ୍ନରମାନେ ଭିଡ଼ ଜମାନ୍ତି। ଯୁବକଙ୍କ ଦେହରେ ଖାଲି ପ୍ୟାଣ୍ଟଟି ରହିଥିବାବେଳେ ବାନିଅନ୍‌ଟି ବାହାରେ ପଡ଼ିଥିଲା। ନିକଟରେ ଏକ ଗାମୁଛା ପଡ଼ିଥିଲା। ପାଖରେ ଏକ ଖାଲି ମଦ ବୋତଲ ପଡ଼ିଥିଲା। ଯୁବକଙ୍କ ପକେଟରୁ ନା ମୋବାଇଲ୍‌ ଫୋନ୍‌ ମିଳିଥିଲା ନା କୌଣସି କାଗଜପତ୍ର। ତେଣୁ ସ୍ଥାନୀୟ ଲୋକେ ଏଭଳି ଏକ ଘଟଣାକୁ ନେଇ ନାନା କଥା ଆଲୋଚନା କରୁଛନ୍ତି। ଯୁବକଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ତାଙ୍କଠାରୁ ସବୁ ଲୁଟି ନେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର