ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତ୍ରପୁର ପୁଲିସ ଏମିତି ଏକ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ଯାହାକି ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ହତ୍ୟାକାରୀ ଶ୍ରାବଣମାସରେ ୧୧ଦିନର ବ୍ରତ ରଖିଥିଲା । ବ୍ରତ ଶେଷ ହେବାପର ଦିନ ସେ ନିଜର କିଛି ସାଙ୍ଗଙ୍କ ସହିତ ମିଶି ଜଣେ ଯୁବକଙ୍କୁ ହତ୍ୟା କରିଥିଲା। କାହାକୁ ସନ୍ଦେହ ନହେଉ ସେଥିପାଇଁ ସେ ହତ୍ୟା କରିଥିବା ଯୁବକଙ୍କ ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲା।
ମୃତ ଯୁବକ ଶିବମ ମିଶ୍ରାଙ୍କ ପରିବାରଲୋକ ପୁଅ ସହିତ କୌଣସି ଯୋଗାଯୋଗ କରି ପାରି ନଥିଲେ। ଅନେକ ଖୋଜାଖୋଜି ପରେ ଶିବମର କୌଣସି ସୂଚନା ନପାଇବାରୁ ପରିବାରଲୋକ ପୁଲିସରେ ପୁଅ ନିଖୋଜ ହୋଇଥିବାର ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ଶିବମ ମିଶ୍ରାଙ୍କୁ ଜାଣିଥିବା ଲୋକଙ୍କୁ ପଚରାଉଚରା କରିଥିଲା।
ଏହି ପଚରାଉଚରା ସମୟରେ ପୁଲିସ ଜଣେ ମହିଳାଙ୍କ ସହିତ କଥା ହୋଇ ଜାଣିବାକୁ ପାଇଥିଲା କି ଦିବ୍ୟାଂଶୁ ଓ ଶିବମ ମିଶ୍ରାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦକୁ ନେଇ ଦିବ୍ୟାଂଶୁ ପାଲିୟା ସାଙ୍ଗ ରାହୁଲ ବିଶ୍ବକର୍ମା ସହିତ ମିଶି ଶିବମ ମିଶ୍ରାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିଲା। ଏହାପରେ ଶିବମଙ୍କ ବାଇକକୁ କୁଅଁରେ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ପୁଲିସ ଏହି ହତ୍ୟା ଘଟଣାରେ ଦିବ୍ୟାଂଶୁ ପାଲିୟା ଓ ରାହୁଲ ବିଶ୍ବକର୍ମାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏଥିସହିତ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଆଉ ଦୁଇଜଣଙ୍କୁ ପୁଲିସ ଧରିବାକୁ ଉଦ୍ୟମ ଜାରି ରଖିଛି। ଦିବ୍ୟାଂଶୁ ପାଲିୟା ଓ ରାହୁଲ ବିଶ୍ବକର୍ମା ଶିବମ ମିଶ୍ରାଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି।