ବଳି ପକାଇବାକୁ ନେଉଥିବା ୨ ନାବାଳିକାଙ୍କୁ ତାନ୍ତ୍ରିକ କବଳରୁ ବଞ୍ଚାଇଲେ ଯୁବକ, ମୁମ୍ବାଇ ପୁଲିସ ଦ୍ୱାରା ପୁରସ୍କୃତ ହେଲେ

ମୁମ୍ବାଇ: ମାନବ ବଳି ଉଦ୍ଦେଶ୍ୟରେ ଅପହୃତା ହୋଇଥିବା ଦୁଇ ନାବାଳିକା କନ୍ୟାଙ୍କୁ ବଳି ପଡ଼ିବା ପୂର୍ବରୁ ଅତ୍ୟନ୍ତ ସାହସିକତା ଓ ସଫଳତାର ସହ ଉଦ୍ଧାର କରିବାରେ ସମର୍ଥ ହୋଇଥିବା ଜନୈକ ଯୁବକଙ୍କୁ ମୁମ୍ବାଇ ପୁଲିସ୍‌ ପୁରସ୍କୃତ କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ସାହାଦା ଗ୍ରାମର ୧୧ ବର୍ଷ ଓ ୮ ବର୍ଷ ବୟସ୍କା ଦୁଇ ନାବାଳିକା କନ୍ୟା ହଠାତ୍‌ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିଲେ। ଏ ଦୁଇ ନାବାଳିକାଙ୍କ ନିଖୋଜ ସଂପର୍କରେ ପୁଲିସ୍‌ରେ ଅଭିଯୋଗ ହେବା ପରେ ଏମାନଙ୍କୁ ଖୋଜି ବାହାର କରିବା ପାଇଁ ମୁମ୍ବାଇ ପୁଲିସ୍‌ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହେବା ସହ, ନିଖୋଜ ଦୁଇ ନାବାଳିକାଙ୍କ ଫଟୋଚିତ୍ର ସମ୍ବଳିତ ପୋଷ୍ଟର ମୁମ୍ବାଇର ବ୍ୟାପକ ଅଞ୍ଚଳରେ ଲଗାଯାଇଥିଲା ଏବଂ ଦୁଇ ନାବାଳିକାଙ୍କ ସନ୍ଧାନକାରୀକୁ ୭୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ହେଲେ, ମୁମ୍ବାଇ ପୁଲିସ୍‌ର ସବୁ ଉଦ୍ୟମ ଓ ଘୋଷଣା ପାଣିରେ ପଡ଼ିଥିଲା। ନିଖୋଜ ଦୁଇ ନାବାଳିକାଙ୍କ ସଂପର୍କରେ କୌଣସି ସୂଚନା ପୁଲିସ୍‌କୁ ମିଳି ନଥିଲା।

କାରଣ, ବବନ ପାଓ୍ଵରା ଜନୈକ ୬୫ ବର୍ଷ ବୟସ୍କ ବ୍ୟକ୍ତି ଏହି ଦୁଇ ନାବାଳିକାଙ୍କୁ ଅପହରଣ କରିବା ପରେ ବଳି ଚଢ଼ାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଧରି ଗୁଜୁରାଟର ସୁରଟକୁ ନେଇ ଆସିଥିଲା ଏବଂ ବନ୍ଦୀ କରି ରଖିଥିଲା। ତେବେ, ସୁରଟର କିମ୍‌ କୋଠଓ୍ଵା ମସଜିଦ୍‌ରେ ଦିନେ ରାତିରେ ଶୋଇଥିବା ବେଳେ ଇମ୍ରାନ୍‌ ଭାଇ ସାହା ନାମକ ଜନୈକ ଯୁବକଙ୍କ କାନରେ ଦୁଇ ଯୁବତୀଙ୍କ କ୍ରନ୍ଦନ ଧ୍ୱନି ପଡ଼ିଲା। ସେ ଉଠି ଯାଇ ଦେଖନ୍ତି ତ ମସଜିଦ୍‌ ନିକଟବର୍ତ୍ତୀ ଗୋଟିଏ ପରିତ୍ୟକ୍ତ ଘରେ ଦୁଇ ଜଣ ନାବାଳିକା ଗୋଡ଼ହାତ ବନ୍ଧା ଅବସ୍ଥାରେ ପଡ଼ିଛନ୍ତି। ପରେ ସେ ଦୁଇ ନାବାଳିକାଙ୍କ ଠାରୁ ଶୁଣିବା ପରେ ସେ ଅବିଳମ୍ବେ ଯାଇ ନିକଟସ୍ଥ କୋସାମ୍ବା ଥାନାରେ ଘଟଣା ସଂପର୍କରେ ଖବର ଦେଇଥିଲେ। ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବବନଙ୍କୁ ଗିରଫ କରିଥିଲା। ବବନ ଏହି ଦୁଇ ନାବାଳିକାଙ୍କୁ ବଳି ଚଢ଼ାଇବା ପାଇଁ ଅପହରଣ କରିଥିବା ଓ ଏହା ପୂର୍ବରୁ ନିଜର ଜନ୍ମିତ ପୁତ୍ରକୁ ମଧ୍ୟ ବଳି ଚଢ଼ାଇଥିବା ପୁଲିସ୍‌ ନିକଟରେ ସ୍ୱୀକାର କରିଥିଲା। ଗୁଜୁରାଟ ପୁଲିସ୍‌ ଏହି ଦୁଇ ନାବାଳିକାଙ୍କୁ ମୁମ୍ବାଇ ପୁଲିସ୍‌କୁ ହସ୍ତାନ୍ତର କରିବା ପରେ ଏବେ ସେମାନଙ୍କୁ ସେମାନଙ୍କ ପରିବାରବର୍ଗଙ୍କ ହାତରେ ଦେବା ସହ ଦୁଇ ନାବାଳିକାଙ୍କୁ ବଳି ପଡ଼ିବା ପୂର୍ବରୁ ବଞ୍ଚାଇଥିବା ଇମ୍ରାନ୍‌ ଭାଇ ସାହାଙ୍କୁ ପୁରସ୍କୃତ କରିଛି ମୁମ୍ବାଇ ପୁଲିସ୍‌।

ସମ୍ବନ୍ଧିତ ଖବର