ଭୋପାଳ: ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାରୁ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଯୁବକ ଜଣକ ଗତ ତିନିଦିନ ଧରି କରିଲା ଧାମ ଅଞ୍ଚଳର ପୋଖରୀ ନିକଟରୁ ନିଖୋଜ ଥିବା ସ୍ଥାନୀୟଲୋକଙ୍କ ସୂତ୍ରରୁ ପ୍ରକାଶ ପାଇଛି।   

Advertisment

ଏହି ଘଟଣାଟି ବିଦିଶା ଜିଲ୍ଲାର ବାଲ ବାମୋରିରେ ଘଟିଛି। ଏଠାରେ ବସବାସ କରୁଥିବା ରାକେଶ କୁଶୱାହ ଗତସୋମବାର ସନ୍ଧ୍ୟାରେ ଘରୁ ବାହାରି ଯାଇଥିଲେ। ଏହାପରେ ସେ କରିଲା ଧାମର ପୋଖରୀ ନିକଟରୁ ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ।

ଭିଡିଓରେ ସେ କହିଛନ୍ତି ଯେ, ‘ମୁଁ କରିଲା ଧାମ ନିକଟରେ ଅଛି, ଏଠା‌ରେ ମୋତେ ଶାନ୍ତି ମିଳିଛି। ମୁଁ ବିଷ ଖାଉଛି। ଯଦି ଏହା ପରେ ବି ମୋର ମୃତ୍ୟୁ ନହୁଏ ମୁଁ ପୋଖରୀକୁ ଡେଇଁ ପଡ଼ିବି। ଏହି ପୋଖରୀରେ କୁମ୍ଭୀର ଅଛନ୍ତି। ମୁଁ ବଞ୍ଚିଥିବା ସମୟରେ କାହାରି ଉପକାର କରି ନଥିଲି, କିନ୍ତୁ ମୋ ମୃତ୍ୟୁ ପରେ ମୁଁ ଚାହେଁ ଯେ କୁମ୍ଭୀରମାନେ ମୋ ମାଂସ ଖାଇ ତାଙ୍କ ଭୋକ ମେଣ୍ଟାଇ ସନ୍ତୁଷ୍ଟ ହୁଅନ୍ତୁ। ମୋତେ କ୍ଷମା କରିଦେବ। ମୁଁ କିଛି କରି ପାରିଲି ନାହିଁ। କେବଳ ଜୀବନ ନଷ୍ଟ କରି ଦେଲି।' 

ଏ ଘଟଣା ବିଷୟରେ ସୂଚନା ଦେଇ ବହାଦୁରପୁର ଥାନା ଅଧିକାରୀ ଅରବିନ୍ଦ କଛୁୱାହା କହିଛନ୍ତି ଯେ ଗତମଙ୍ଗଳବାର ଦିନ ଯୁବକଙ୍କ ପରିବାର ସଦସ୍ୟମାନେ ଥାନାରେ ପୁଅ ନିଖୋଜ ଥିବା ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ଘଟଣାସ୍ଥଳରୁ କେବଳ ତାଙ୍କର ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି। ଯୁବକ ଜଣକ ଯେଉଁ ପୋଖରୀକୁ ଡେଇଁ ପଡ଼ିବେ ବୋଲି ଭିଡିଓରେ କହିଥିଲେ ସେ ପୋଖରୀରେ ବି ଖୋଜା ଯାଇଥିଲା କିନ୍ତୁ ତାଙ୍କର କୌଣସି ପ୍ରକାର ସନ୍ଧାନ ମିଳି ପାରି ନାହିଁ। ତଦନ୍ତ ଚାଲିଛି।