ଭୋପାଳ: ମଧ୍ୟପ୍ରଦେଶର କଟନି ମୁଖ୍ୟ ଷ୍ଟେସନରେ ରବିବାର ସକାଳେ ଘଟିଥିବା ଘଟଣା ରେଳ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଲୋକମାନ୍ୟ ତିଲକରୁ ଓହ୍ଲାଇ କାଶୀ ଯାଉଥିବା କାଶୀ ଏକ୍ସପ୍ରେସ ଟ୍ରେନର ବଗି ଉପରେ ହଠାତ ଜଣେ ଯୁବକ ଚଢ଼ିଯାଇଥିଲେ। ଟ୍ରେନ ବଗି ଉପରେ ଦୌଡ଼ିବା ସହିତ ସେ ବିଦ୍ୟୁତ୍ ଟାୱାର ଉପରେ ମଧ୍ୟ ଚଢ଼ିଯାଇଥିଲେ। ଏହି ଦୃଶ୍ୟ ଦେଖି କିଛି ଯାତ୍ରୀ ଆତଙ୍କିତ ହୋଇ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ।
ଘଟଣାର ଭିଡିଓ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଭାଇରାଲ ହେଉଛି। ଯୁବକଙ୍କ ଏପରି କାଣ୍ଡ ବିଷୟରେ ସୂଚନା ପାଇବା ମାତ୍ରେ ରେଳ ପୁଲିସ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଷ୍ଟେସନ ମ୍ୟାନେଜର ସଞ୍ଜୟ ଦୁବେ ଯୁବକଙ୍କ ଏଭଳି କାଣ୍ଡକୁ ନେଇ କହିଛନ୍ତି,‘ ଟ୍ରେନରେ ଚଢ଼ିଥିବା ଯୁବକଙ୍କୁ ବହୁତ ଚେଷ୍ଟା ପରେ ଟ୍ରେନରୁ ତଳକୁ ଓହ୍ଲାଇ ଦିଆଯାଇଥିଲା। ଜବଲପୁରକୁ ଫୋନ୍ କରି ଓଏଚଇ ବନ୍ଦ କରିଦିଆଯାଇଥିଲା। ଯାହାଦ୍ୱାରା ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।
ଏହାପରେ ରେଳ ପୁଲିସ ଯୁବକଙ୍କୁ ସୁରକ୍ଷିତ ଭାବରେ ଥାନାକୁ ନେଇଯାଇଥିଲା। ଯୁବକ ଜଣକ କେଉଁ କାରଣ ପାଇଁ ଏପରି ଟ୍ରେନ ଉପରେ ଚଢ଼ି ଯାଇଥିଲେ ସେ ନେଇ ପୁଲିସ ପଚରାଉଚରା ଜାରି ରଖିଛି। ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।