ପବଜି ଖେଳିବାକୁ ରୋକିବାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ଥାନେ: ମାହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଥାନେ ଜିଲ୍ଲାର ଭିଓ୍ଵଣ୍ଡି ଅଞ୍ଚଳରେ ଜଣେ ୧୫ ବର୍ଷର ବାଳକ ପବଜି ଗେମ୍‌ ଖେଳକୁ ନେଇ ବଡ ଭାଇକୁ ହତ୍ୟା କରିଛି ବୋଲି କୁହାଯାଉଛି । ପୁଲିସ ଅଧିକାରୀ ମମତାଙ୍କ ସୂଚନା ଅନୁସାରେ ବଡଭାଇ ମହମ୍ମଦ ଶେଖ (୧୯) ସକାଳୁ ଛୋଟ ଭାଇକୁ ନିଜ ଫୋନରେ ପବଜି ଖେଳୁଥବା ଦେଖିଥିଲେ । ପବଜି ଖେଳୁଥିବା ଦେଖି ବଡ ଭାଇ ମହମ୍ମଦ ସାନ ଭାଇକୁ ବାରଣ କରିଥିଲେ, ଏଥିରେ ରାଗିଯାଇ ସାନ ଭାଇ ବଡ ଭାଇକୁ ହତ୍ୟା କରିଥିଲା ।

ପୁଲିସ ଅଧିକାରୀ ମମତା କହିଛନ୍ତି ସାନ ଭାଇ ବଡ ଭାଇର ମୁଣ୍ଡକୁ କାନ୍ଥରେ ପିଟିବା ସହ ଛୁରିରେ ବାରମ୍ବାର ଆଘାତ କରିଥିଲେ । ଏହା ପରେ ମହମ୍ମଦଙ୍କୁ ସରକାରୀ ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହମ୍ମଦଙ୍କ ମୃତ୍ୟୁ ପରେ ସାନ ଭାଇ ଉପରେ ଧାରା ୩୦୨ (ହତ୍ୟା ମାମଲା) ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ମମତା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର