କର୍ପୋରେଟରଙ୍କ ବ୍ୟାନର୍‌ ଚିରି ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ କର୍ପୋରେଟରଙ୍କ ବ୍ୟାନ୍‌ର ଚିରିବା ଏବଂ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ସେହି ଥାନା ଅନ୍ତର୍ଗତ ଖରାଖିଆ ଅଞ୍ଚଳର ମନ୍ମଥ ମାର୍ଥା(୨୨)। ପୁଲିସ ସଂପୃକ୍ତ ଯୁବକ ନାମରେ ୬ଟି ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି।

ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ସ୍ଥାନୀୟ ଜଣେ କର୍ପୋରେଟର ଘରକୁ ଫେରୁଥିବାବେଳେ ମନ୍ମଥ ତାଙ୍କ ବ୍ୟାନର୍‌ ଚିରିବା ସହ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ତେବେ ମନ୍ମଥଙ୍କ କହିବା ଅନୁଯାୟୀ ସେ ବ୍ୟାନର ଚିରିବା ନେଇ ପୁଲିସ ପାଖରେ ସିସିଟିଭି ରେକର୍ଡ଼ ରହିଥିବା ବେଳେ ମାଡ଼ ମାରିବା କଥା ମିଛ। ପୁଲିସ ମିଥ୍ୟା ମାମଲାରେ ତାଙ୍କୁ ଗିରଫ କରିଛି। ଗତକାଲି ରାତିରେ ପୁଲିସ ତାଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ତେବେ ପୁଲିସ ଆଜି ପୁଣି ଚାପରେ ବଶବର୍ତୀ ହୋଇ ତାଙ୍କୁ ଗିରଫ କରିଛି ବୋଲି ମନ୍ମଥଙ୍କ ଆଇନଜୀବୀ କହିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତୀ ଅଞ୍ଚଳ ନୋ ହୋର୍ଡ଼ିଂ ଜୋନ୍‌ ଘୋଷଣା ହୋଇଥିଲେ ମଧ୍ୟ ମାଳମାଳ ହୋର୍ଡ଼ିଂ ଲାଗିଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ କୌଣସି ଅନୁମତି ମିଳିନାହିଁ ବୋଲି ଜନୈକ ବିଏମ୍‌ସି କର୍ମଚାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି।

ସମ୍ବନ୍ଧିତ ଖବର