ପୁଲିସକୁ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ଖଣ୍ଡଗିରି : ଏକ ସଡ଼କ ଦୁର୍ଘଟଣାକୁ ନେଇ ଭରତପୁରରେ ପୁଲିସ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଭରତପୁରର କରୁଣା ଦାସ(୧୯)। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଦୀର୍ଘ ୩ ମାସ କାଳ ଫେରାର୍ ରହିବା ପରେ ଗତକାଲି ପୁଲିସ ତାଙ୍କୁ ଗିରଫ କରିଥିଲା।

ସୂଚନାନୁସାରେ, ଗତ ସେପ୍ଟେମ୍ବର ୨୩ ତାରିଖ ରାତି ପ୍ରାୟ ୮ଟା ବେଳେ ଭରତପୁର ଛକରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ଘଟିଥିବା ମୁହାଁମୁହିଁ ଧକ୍କାରେ ସ୍ଥାନୀୟ ଅଞ୍ଚଳର ଶଙ୍କର ନାଏକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲୋକଙ୍କ ଭିତରେ ଅସନ୍ତୋଷ ବ୍ୟାପି ସାରିଥିଲା। ପୁଲିସ ଆସିବାରେ ବିଳମ୍ବ ହୋଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ। କାର୍‌କୁ ଭଙ୍ଗାରୁଜା କରିବା ସହ ଚାଳକକୁ ଅଟକ ରଖି ନିର୍ଧୁମ୍‌ ମାଡ଼ ମାରିଥିଲେ। କାର୍ ଚାଳକକୁ ଉଦ୍ଧାର କରିବାକୁ ଯାଇ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ କ୍ରୋଧର ଶିକାର ହୋଇଥିଲା। ଗଣ୍ଡଗୋଳକାରୀମାନେ ପୁଲିସକୁ ମାଡ଼ ମାରି ଆହତ କରିଥିଲେ। ଫଳରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ପରଦିନ ପୁଲିସ ଗଣ୍ଡଗୋଳକାରୀମାନଙ୍କ ମଧ୍ୟରୁ ଭରତପୁରର ଶଙ୍କର ପ୍ରଧାନ, ସନ୍ତୋଷ ମହାକୁଡ଼ ଓ ପ୍ରମୋଦ ଦାସଙ୍କୁ ଗିରଫ କରିଥିଲା। ତେବେ କରୁଣା ସେହିଦିନଠାରୁ ଫେରାର୍ ହୋଇ ଯାଇଥିଲେ। ଗତକାଲି ସେ ଘରକୁ ଆସିଥିବା ଖବର ପାଇ ପୁଲିସ ରାତିରେ ଚଢ଼ଉ କରିଥିଲା। ଏହି ମାମଲାରେ ସଂପୃକ୍ତ ଆହୁରି କିଛି ଯୁବକ ଏବେ ବି ଫେରାର୍ ଥିବା ପୁଲିସ ସୂଚନା ଦେଇଛି।

ପୁଲିସ୍‌କୁ ମାଡ଼ ମାରି ଜଣେ ଗିରଫ

ବାରଙ୍ଗ : ଟ୍ରାଫିକ୍‌ ନିୟନ୍ତ୍ରଣ‌‌ରେ ନିୟୋଜିତ ଥିବା ଜଣେ ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ଗୋଠପାଟଣା ଗ୍ରାମର ସ୍ୱାଧୀନ ପ୍ରଧାନ ଓରଫ ରାଜ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏହି ଆପରାଧିକ ଘଟଣାରେ ସଂପୃକ୍ତ ଅନ୍ୟ ୩ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ପୁଲିସ ସୂଚନା ଅନୁଯାୟୀ, ଗତକାଲି ଟାଇମ୍‌ସ ଗୁରୁକୁଳ‌ରେ ବିଦ୍ୟାରତ୍ନ ପରୀକ୍ଷା ଚାଲିଥିଲା। ପ୍ରାୟ ଅଢ଼େଇ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ଚନ୍ଦକା ଥାନା ପୁଲିସ ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ଦୁଇଜଣ କର୍ମଚାରୀ ସୁବାସ ଶବର ଓ ରାଜୀବ ଲୋଚନ କଅଁରଙ୍କୁ ନିୟୋଜିତ କରାଯାଇଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ରାଜା ଓ ତା’ର ୩ ସହଯୋଗୀ ବାଇକ୍‌ରେ ଆସି ସେଠାରେ ପଇଁତରା ମାରିଥିଲେ। ସୁବାସ ବାରଣ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ।

ଚୋରକୁ ଛେଚି ପୁଲିସ୍‌ ଜିମା ଦେଲେ

ଭୁବନେଶ୍ୱର : ସହିଦନଗର ପାନାସୋନିକ୍‌ ସୋ’ରୁମ୍‌ ନିକଟରେ ଆଜି ଜଣେ ନାବାଳକ ଚୋରକୁ ସ୍ଥାନୀୟ ଲୋକେ ନିର୍ଧୁମ୍‌ ଛେଚି ପୁଲିସ ଜିମା ଦେଇଛନ୍ତି। ନାବାଳକଜଣଙ୍କ ଏକ ବାଇକ୍‌ ଡିକି ଭାଙ୍ଗି ଲୁଟ୍‌ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ସୂଚନା‌ ମୁତାବକ, ସୋମବାର ଦିନ ପାଖାପାଖି ୧୦ଟାରେ ଜଣେ ବ୍ୟକ୍ତି ସହିଦନଗର ପାନାସୋନିକ୍‌ ସୋ’ରୁମ୍‌ ନିକଟରେ ବାଇକ୍‌ ରଖି ଭିତରକୁ ଯାଇଥିଲେ। ଏହି ସମୟରେ ନାବାଳକଜଣଙ୍କ ତାଙ୍କ ଡିକି ଭାଙ୍ଗି ‌ଲୁଟ୍‌ ଉଦ୍ୟମ କରିଥିଲା। ସେଠାରେ ଥିବା ଲୋକମାନେ ଏହା ଦେଖି ପାଟି କରିବାରୁ ନାବାଳକଜଣଙ୍କ ସେଠାରୁ ଖସି ପଳାଇବା ପାଇଁ ଧାଇଁଥିଲା। କିନ୍ତୁ ସ୍ଥାନୀୟ ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ କାବୁ କରିବା ସହ ମାଡ଼ ମାରିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରି ଥାନାକୁ ଆଣିଥିଲା। ସେଠାରେ ତାକୁ ପଚରାଉଚରା ପରେ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର