ନାବାଳିକାକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର : ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିବା ସହ ନବାଳିକାଙ୍କୁ ଉଦ୍ଧାର କରିଛି। ଗିରଫ ଯୁବକ ଜଣକ ହେଲା ୟୁନିଟ୍‌-୩ ଅଧୀନ ଖଣ୍ଡିଆପାର୍କ ବସ୍ତିର ଦିଲ୍ଲୀପ ନାୟକ(୨୩ )।

ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ ଦିଲ୍ଲୀପ ସେହି ବସ୍ତିର ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ପ୍ରେମ ନିବେଦନ କରିବା ସହ ବାଟରେ ହଇରାଣ କରୁଥିଲା। ଏମିତିକି ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଧମକ ଦେଉଥିଲା। ଏଥିରେ ରାଜି ନହେବାରୁ ଦିଲ୍ଲୀପ ଗୁରୁବାର ସନ୍ଧ୍ୟାରେ ନାବାଳିକାଙ୍କୁ ଏକୁଟିଆ ପାଇ ଅପହରଣ କରି ନେଇଥିଲା। ବହୁ ଖୋଜାଖୋଜି ପରେ ଝିଅକୁ ନପାଇ ପରିବାର ଲୋକ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀପ ନାବାଳିକାଙ୍କୁ ନେଇ ଘରକୁ ଫେରିଥିବା ପୁଲିସ ଜାଣିବାକୁ ପାଇଥିଲା। ସେହିଦିନ ବିଳମ୍ବିତ ରାତିରେ ପୁଲିସର ଏକ ଟିମ ୟୁନିଟ୍‌-୩ ସ୍ଥିତ ଘରେ ଚଢ଼ଉ କରି ଦିଲ୍ଲୀପକୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଥାନାରେ ପଚରାଉଚରା ପରେ ପୁଲିସ ଦିଲ୍ଲୀପକୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମା ଦେଇଛି।

ସମ୍ବନ୍ଧିତ ଖବର