ଚନ୍ଦ୍ରଶେଖରପୁର : ନାବାଳିକା ଅପହରଣ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, କେନ୍ଦ୍ରାପଡ଼ା ଜିଲ୍ଲା ଅମୃତ ମଣୋହି ନିଗିଡ଼ାଇ ଗ୍ରାମର ସଞ୍ଜୀବ କୁମାର ସାହୁ। ସେ ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁରରେ ସପରିବାରେ ରହନ୍ତି। ୨ମାସ ତଳେ ଡମଣା ଅଞ୍ଚଳର ଜଣେ ଛାତ୍ରୀଙ୍କୁ କାର୍ରେ ଅପହରଣ କରିବା ସହ ତାଙ୍କ ପରିବାରଲୋକଙ୍କୁ ଫୋନ୍ କରି ଅର୍ଥ ଦାବି କରିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ପୁଲିସ୍ ସଂଜୀବର ମୋବାଇଲ୍ ନମ୍ବର ଟ୍ରାକ୍ କରି ଗତକାଲି ବିଳମ୍ବିତ ରାତିରେ ପିପିଲି ଅଞ୍ଚଳରୁ ଗିରଫ କରିଥିଲା। ଅପହୃତା ନାବାଳିକାଙ୍କୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ଏନେଇ ଥାନାରେ ନମ୍ବର ୩୩୩/୧୯ରେ ଏକ ମାମଲା ରୁଜୁ ହୋଇଛି।
ଚୋର ଗିରଫ, ପ୍ରସାଧନ ସାମଗ୍ରୀ ଜବତ
ଭୁବନେଶ୍ବର : ଭୁବନେଶ୍ବର କୋ-ଅପରେଟିଭ୍ ସୋସାଇଟି ପ୍ରାଇଭେଟ୍ ଲିମିଟେଡ୍ରୁ ପ୍ରସାଧନ ସାମଗ୍ରୀ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଚୋରକୁ ଗିରଫ କରିଛି। ପୁଲିସ ତା’ଠାରୁ ୪ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରିଛି। ସେ ହେଲା, ୟୁନିଟ୍-୯ ମଙ୍ଗଳାବସ୍ତିର ପିଣ୍ଟୁ ପ୍ରଧାନ(୨୦)। ଗୁରୁବାର ଭୋର୍ ସମୟରେ ପିଣ୍ଟୁ ସହିଦନଗରସ୍ଥିତ ସୋସାଇଟି ଗୋଦାମରେ ପଶି ସାମଗ୍ରୀ ଚୋରି କରୁଥିଲା। ତେବେ ଏହି ସମୟରେ ସିକ୍ୟୁରିଟ୍ ଗାର୍ଡ ପିଣ୍ଟୁକୁ ଚୋରି କରୁଥିବା ଦେଖି ସମ୍ପାଦକ ହବିବୁଲ୍ ଖାନ୍ଙ୍କୁ ଫୋନ୍ କରି ଜଣାଇଥିଲେ। ତୁରନ୍ତ ସେ ସେଠାରେ ପହଞ୍ଚି ପିଣ୍ଟୁକୁ କାବୁ କରିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ସେଠାରୁ ଗିରଫ କରିବା ସହ ସମସ୍ତ ସାମଗ୍ରୀ ଜବତ କରିଥିଲା। ଏନେଇ ହବିବୁଲ୍ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଆଜି ତାକୁ କୋର୍ଟ ଚାଲାଣ କରିଛି।
ଟ୍ରାଫିକ୍ ପୁଲିସ୍କୁ ମାଡ଼ ମାରି ଯୁବକ ଗିରଫ
ଚନ୍ଦ୍ରଶେଖରପୁର : କାର୍ଯ୍ୟରତ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ ଢେଲା ମାଡ଼ ଓ ଗାଳିଗୁଲଜ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ଦୀପୁ ଦାସ। ଦୀପୁ ଆଜି ଡମଣା ଛକ ଅଞ୍ଚଳରେ ସିଗନାଲ୍ ନ ମାନି ଖସି ପଳାଉଥିବା ବେଳେ ସେଠାରେ କାର୍ଯ୍ୟରତ ଟ୍ରାଫିକ୍ ପୁଲିସ ଦୀପକ ସ୍ବାଇଁ ତାଙ୍କୁ ଅଟକାଇଥିଲେ। ଏଥିରେ ରାଗି ଯାଇ ଦୀପୁ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ଏହା ଦେଖି ନିକଟରେ ଥିବା ଅନ୍ୟ ଜଣେ ଟ୍ରାଫିକ୍ ପୁଲିସ ଦୀପୁକୁ କାବୁ କରିବା ସହ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ତାଙ୍କୁ ଗିରଫ କରି ଥାନାକୁ ନେଇଥିଲା।