ଭୁବନେଶ୍ବର : ନାବାଳିକାଙ୍କୁ ଅପହରଣ ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ବର : ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ସିଦ୍ଧାର୍ଥ ପ୍ରଧାନ(୨୪)। ସେ ଏଠାରେ ସାଲିଆସାହି ଶ୍ରୀରାମନଗରରେ ରୁହେ। ପୁଲିସ ସୂଚନା ମୁତାବକ, କିଛିଦିନ ହେବ ସିଦ୍ଧାର୍ଥ ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଉଥିଲା। ତାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହ ହଇରାଣ ହରକତ କରୁଥିଲା। ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରୁଥିଲା। ହେଲେ ନାବାଳିକା ଜଣକ ତା’ କଥାରେ ରାଜିନହେବାରୁ ପ୍ରତି‌ଶୋଧ ପରାୟଣ ହୋଇଉଠିଥିଲା। ଶନିବାର ସନ୍ଧ୍ୟାରେ ନାବାଳିକା ଜଣକ ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ବେଳେ ସିଦ୍ଧାର୍ଥ ତାଙ୍କୁ ପିଛା କରିଥିଲା। ସୁଯୋଗ ପାଇ ଅପହରଣ ଉଦ୍ୟମ କରିବା ବେଳେ ନାବାଳିକା ପାଟି କରିବାରୁ ଆଖପାଖରେ ଥିବା ଲୋକମାନେ ଧାଇଁ ଆସିଥିଲେ। ସିଦ୍ଧାର୍ଥକୁ କାବୁ କରି ପୁଲିସକୁ ଫୋନ୍‌ କରିଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର