ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଏୟାର୍‌ଫିଲ୍ଡ ଥାନା ଅଧୀନ ଭୀମଟାଙ୍ଗୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବୁଦ୍ଧାରାମ ହାଁସଦାକୁ ଗିରଫ କରିଛି। ତା ଘର କେନ୍ଦୁଝରରେ। ଏଠାରେ ସେ ଗାଡ଼ି ଚଳାଇବା ସହିତ ଭୀମଟାଙ୍ଗୀ ଅଞ୍ଚଳରେ ଭଡ଼ାରେ ରୁହେ। ବୁଦ୍ଧରାମଙ୍କ ତଳ ଘରେ ଅନ୍ୟ ଏକ ପରିବାର ରୁହନ୍ତି। ସେହି ପରିବାରର ନାବାଳିକା ଝିଅ ଆଜି ଛାତକୁ ଲୁଗା ସୁଖାଇବାକୁ ଯାଇଥିବାବେଳେ ବୁଦ୍ଧରାମ ତାକୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଏ ସମ୍ପର୍କରେ ମା’ଙ୍କୁ ଜଣାଇବା ପରେ ସ୍ଥାନୀୟ ଲୋକ ବୁଦ୍ଧରାମକୁ ମାଡ଼ ମାରି ପୁଲିସ ଜିମା ଦେଇଥିଲେ। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଡାକ୍ତରୀମାଇନା କରାଯାଇଥିଲା। ନାବାଳିକାଙ୍କ ଉପରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାରେ ସଚେତନତା ପାଇଁ ସାରା ରାଜ୍ୟରେ ପରୀ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିବାବେଳେ ଖୋଦ ରାଜଧାନୀରେ ଏଭଳି ଦୁଷ୍କର୍ମ ଚିନ୍ତାର ବିଷୟ ହୋଇଛି।

ଚୋରି ଅଭିଯୋଗରେ ଇଂଜିନିୟରିଂ ଛାତ୍ର ଗିରଫ

ଖଣ୍ଡଗିରି : ଜଣେ ସହପାଠୀର ସ୍କୁଟି ଚୋରି କରି ନେଇଥିବା ଅଭିଯୋଗରେ ସୋମବାର ତମାଣ୍ଡୋ ଥାନା ପୁଲିସ ଜଣେ ଇଂଜିନିୟରିଂ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ପାଲାମ୍‌ ଜିଲ୍ଲା ଛତ୍ରପୁରର ସଲାମତ୍‌ ହୁସେନ୍‌(୨୩)। ସେ ବରମୁଣ୍ଡା ଅଞ୍ଚଳରେ ମେସ୍‌ରେ ରହୁଥିବାବେଳେ ଏକ ଘରୋଇ ଇଂଜିନିୟରିଂ କଲେଜର ଦ୍ୱିତୀୟ ବାର୍ଷିକ ଛାତ୍ର ଥିଲେ। ପୁଲିସ ସୂଚନାନୁସାରେ ଅଭିଯୁକ୍ତ ସଲାମତ୍‌ର କିଛି ସହପାଠୀ(ଝାରଖଣ୍ଡର) ତମାଣ୍ଡୋ ଅଞ୍ଚଳରେ ମେସ୍‌ କରି ରହୁଛନ୍ତି। ସଲାମତ୍‌ ଉକ୍ତ ମେସ୍‌କୁ ନିୟମିତ ଯା’ଆସ କରେ। ବେଳେବେଳେ ଜରୁରି କାମର ବାହାନା କରି ସାଙ୍ଗମାନଙ୍କ ଗାଡ଼ି ମାଗିନିଏ। ଏକଦା ସେହି ମେସ୍‌ରେ ରହୁଥିବା ରାଞ୍ଚିର ବିକାଶ କୁମାର ସାହୁ ନାମକ ଜଣେ ସହପାଠୀଙ୍କ ସ୍କୁଟିକୁ ସଲାମତ୍‌ ମାଗି ନେଇଥିଲା ଓ ଏହି ମଉକାରେ ଗାଡ଼ିର ଏକ ନକଲି ଚାବି ତିଆରି କରାଇ ନେଇଥିଲା। ଗତ ୧୬ ତାରିଖ ବିଳମ୍ବିତ ରାତିରେ ସଲାମତ୍‌ ଉକ୍ତ ଗାଡ଼ିକୁ ମେସ୍‌ରୁ ଉଠାଇ ନେଇଥିଲା। ପରଦିନ ବିକାଶ ଏ ନେଇ ତମାଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ରାତିରେ ଖଣ୍ଡଗିରି ଥାନା ପୁଲିସ ପାଟ୍ରୋଲିଂ କରୁଥିବାବେଳେ ସଲାମତ୍‌ ଉକ୍ତ ସ୍କୁଟି ସହ ଧରାପଡ଼ିଥିଲା।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ : ଉଭୟ ଗୋଷ୍ଠୀରୁ ୪ ଗିରଫ

ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ କ୍ୟାପିଟାଲ ଥାନା ପୁଲିସ ଉଭୟ ଗୋଷ୍ଠୀରୁ ୪ ଜଣଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ୟୁନିଟ ୧ ଅଞ୍ଚଳ ତାଟିବସ୍ତିର ଓ୍ଵାଇ ଭେଙ୍କଟ (୧୮), ଓ୍ଵାଇ ଶ୍ରୀନିବାସ ରାଓ (୨୨), ପରୁଣା ଭୁବନେଶ୍ୱର ଅଞ୍ଚଳର ଓ୍ଵାଇ ଈଶ୍ୱର ରାଓ(୨୪) ଓ ଓ୍ଵାଇ ଜଗା ରାଓ (୨୧)। କିଛିଦିନ ତଳେ କ୍ୟାପିଟାଲ ଥାନା ଅଧୀନ ୟୁନିଟ ୧ ତାଟିବସ୍ତିରେ ରହୁଥିବା ଓ୍ଵାଇ ଶ୍ରୀନିବାସ ରାଓ ସେହି ବସ୍ତିର ଓ୍ଵାଇ ଭେଙ୍କେଟଙ୍କ ଭଉଣୀଙ୍କୁ କମେଣ୍ଟ ମାରିଥିଲା। ଏନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଭେଙ୍କେଟ ପୁରୁଣା ଭୁବନେଶ୍ୱର ଅଞ୍ଚଳର ତାର ଦୁଇ ସାଙ୍ଗ ଈଶ୍ୱର ଓ ଜଗାଙ୍କୁ କହିଥିଲା। ଗତକାଲି ବିଳମ୍ବିତ ରାତିରେ ଭେଙ୍କେଟ, ଈଶ୍ୱର ଓ ଜଗା ଶ୍ରୀନିବାସର ଘରେ ପଶି ତାକୁ ମାଡ଼ମାରି ରକ୍ତାକ୍ତ କରି ଦେଇଥିଲେ। ଉଭୟ ପରିବାର ଲୋକ ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ୨ଟି ପୃଥକ ମମେଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର