ଯୁବତୀଙ୍କୁ ପ୍ରତାରଣା, ଜଣେ ଗିରଫ

ପର୍ଯ୍ୟଟକଙ୍କୁ ମାଡ଼ ମାରି ଯୁବକ ଗିରଫ, ଯୁବକଙ୍କୁ ମାଡ଼, ଜଣେ ଗିରଫ

ଭୁବନେଶ୍ବର : ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ କ୍ୟାପିଟାଲ୍‌ ଥାନା ପୁଲିସ ଝରଣାସାହି ଅଞ୍ଚଳର ବିଦୋନ ବେହେରା(୨୫)କୁ ଗିରଫ କରିଛି। ୪ ମାସ ତଳେ ବାପୁଜୀନଗର ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିନୋଦର ବାହାଘର ପ୍ରସ୍ତାବ ପଡ଼ିଥିଲା। ଯୁବତୀଙ୍କୁ ବିବାହ କରିବା ପାଇଁ ବିନୋଦ ରାଜି ହୋଇଥିଲା। ଏହାପରେ ଉଭୟ ମିଳାମିଶା କରିଥିଲେ। ଏହାର ସୁଯୋଗ ନେଇ ବିନୋଦ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ବାହାଘର ପାଖେଇ ଆସୁଥିବା ବେଳେ ସେ ଯୁବତୀଙ୍କୁ ବିବାହ କରିବ ନାହିଁ ବୋଲି ହଠାତ୍‌ ମନା କରିଥିଲା। ଏନେଇ ଯୁବତୀ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ।

ପର୍ଯ୍ୟଟକଙ୍କୁ ମାଡ଼ ମାରି ଯୁବକ ଗିରଫ
ବାରଙ୍ଗ : ଡେରାସ ପରିଭ୍ରମଣରେ ଆସିଥିବା ପର୍ଯ୍ୟଟକଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ଯୁବକକୁ ଚନ୍ଦକା ଥାନା ପୁଲିସ ଗିରଫ କରିଛି। ଗିରଫ ଯୁବକ ହେଲା କଣ୍ଟାବାଡ଼ ଗ୍ରାମ ମନେଇ ସାହିର ସୁବାସ ଚନ୍ଦ୍ର ସାହୁ(୨୬)। ଅଭିଯୋଗ ମୁତାବକ ଆଜି ଏକ ଘରୋଇ କଲେଜର ଭାନୁଚରଣ ଚୌହାନଙ୍କ ସମେତ ୫ ଜଣ ଛାତ୍ର ଡେରାସ ବୁଲି ସାରି ଫେରୁଥିଲେ। ସେହି ସମୟରେ ଅଭିଯୁକ୍ତ ସୁବାସ ସେମାନଙ୍କ ସହ ପାଟିତୁଣ୍ତ କରିବା ସହ ମାଡ଼ ମାରିଥିଲା। ଏନେଇ ଛାତ୍ରମାନେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ।

ଯୁବକଙ୍କୁ ମାଡ଼, ଜଣେ ଗିରଫ
ପୁରୁଣା ଭୁବନେଶ୍ବର : ଟଙ୍କା ନେଣଦେଣକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହି ଘଟଣାରେ ଜଣେ ଯୁବକକୁ ଏୟାର ପୋର୍ଟ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଖଣ୍ଡଗିରି ଥାନା ଅଧୀନ ଗଣ୍ଡମୁଣ୍ଡା ତାରିଣୀ ବସ୍ତିର କାଳିଆ ଓରଫ ପିଣ୍ଟୁ ସାହୁ(୨୫)। ପ୍ରେସ୍‌ କଲୋନୀର ଜଗନ୍ନାଥ ରେଡ୍ଡି ନାମକ ଯୁବକ କାଳିଆ ଠାରୁ ଟଙ୍କା ନେଇଥିଲେ। ତେବେ ସେ ନ ଫେରାଇବାରୁ କାଳିଆ ତା’ର ୪ଜଣ ସାଙ୍ଗକୁ ଆଣି ପୋଖରୀପୁଟରେ ଜଗନ୍ନାଥଙ୍କୁ ମାଡ଼ ମାରି ଗୁରୁତର କରିବା ସହ ମୋବାଇଲ୍‌ ଛଡ଼ାଇ ନେଇଥିଲା। ଏନେଇ ମନୋଜ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର