ପ୍ରେମରେ ବିଫଳ ପରେ ଛୁରି ଭୁସି ହତ୍ୟା କଲା ଯୁବକ

ମୁମ୍ବାଇ : ମୁମ୍ବାଇର ଇଷ୍ଟର୍ନ ଏକ୍ସପ୍ରେସ୍‌ ରାଜପଥରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ସ୍ପଷ୍ଟ ଦିବାଲୋକରେ ଛୁରି ଭୁସି ହତ୍ୟା କରାଯାଇଛି। ଘଟଣାରେ ଅଭିଯୁକ୍ତ ଆକାଶ ପାଓ୍ଵାର (୨୫)କୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ପ୍ରାଚୀ ଜାଡେ ନିଜ ସ୍କୁଟି ଯୋଗେ ଶନିବାର ସକାଳେ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ରାଜପଥରେ ଯାଉଥିଲେ। ଏହି ସମୟରେ ଆକାଶ ତାଙ୍କୁ ଅଧା ବାଟରେ ଅଟକାଇ ଦୁର୍ବ୍ୟବହାର କରିଥିଲା। ଏହାପରେ ପ୍ରେମ ନିବେଦନ କରିଥିଲା। କିନ୍ତୁ ପ୍ରାଚୀ ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ଆକାଶ ଉତ୍ତ୍ୟକ୍ତ ହୋଇଯାଇଥିଲା। ପ୍ରାଚୀଙ୍କୁ ଅନ୍ୟ କାହାର ହେବାକୁ ଦେବନାହିଁ ବୋଲି ଚିତ୍କାର କରି କହିଥିଲା। ଏହାପରେ ଛୁରି ବାହାର କରି ତାଙ୍କ ପେଟକୁ ଏକାଧିକ ଥର ଭୁସିଥିଲା। ପ୍ରାଚୀ ରକ୍ତ ଜୁଡୁବୁଡୁ ହେବା ପରେ ତାଙ୍କୁ ଛାଡ଼ି ଆକାଶ ପଳାଇଥିଲା। ଏକ ଚଳନ୍ତା ବସ୍‌ ସାମ୍ନାରେ ସେ ଦୌଡ଼ିବା ସମୟରେ ଲୋକେ ତାକୁ ଦେଖିଥିଲେ। ପରେ ପୁଲିସ ଚଢ଼ାଉ କରି ଆକାଶକୁ ତା’ର ସାଙ୍ଗ ଘରୁ ଗିରଫ କରିଥିଲା। ଘଟଣାସ୍ଥଳରୁ ପ୍ରାଚୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ପହଞ୍ଚିବା କ୍ଷଣି ତାଙ୍କର ମୃତ୍ୟୁ ଘଟିଥିଲା। ଦେଖଣାହାରୀଙ୍କ କହିବାନୁଯାୟୀ ପ୍ରାଚୀଙ୍କୁ ଆକ୍ରମଣ ହେଉଥିବା ବେଳେ କିଛି ଲୋକ ଏହି ଦଶ୍ୟକୁ ନିଜ ଫୋନ୍‌ରେ ସୁଟ୍‌ କରୁଥିଲେ। କିନ୍ତୁ କୌଣସି ଲୋକ ଆକାଶକୁ ଅଟକାଇବାକୁ ଉଦ୍ୟମ କରି ନଥିଲେ। ଏମିତି କି ପ୍ରାଚୀଙ୍କୁ ହସ୍ପିଟାଲ୍‌ ବିଳମ୍ବରେ ନିଆଯାଇଥିଲା। ପୁଲିସ ରେକର୍ଡରୁ ଜଣାଯାଇଛି ଯୁବତୀ ଜଣକୁ ଆକାଶ ଦୀର୍ଘଦିନ ହେଲା ହଇରାଣ କରିଆସୁଥିଲା। ଚଳିତବର୍ଷ ପ୍ରାଚୀଙ୍କ ପରିବାର ଆକାଶ ବିରୋଧରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର