ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ମୁନା, କାଳୁ ଗିରଫ

ଭୁବନେଶ୍ୱର : ଚୋର ମଦ ବ୍ୟବସାୟକୁ ନେଇ ରବିବାର ସକାଳେ ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ୍‌ବଜାର ମୋଚି ସାହି ନିକଟରେ ପି. କାମେଶ୍ୱର ରେଡ୍ଡୀ ନାମକ ଯୁବକଙ୍କୁ ପିଟିିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ବାଇକ୍‌ ଓ ବାଉଁଶ ମୂଳି ଜବତ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ଭଜମନ ନାୟକ ଓରଫ ମୁନା ଓରଫ ଗେଡ଼(୨୭) ଓ ସହଯୋଗୀ କାଳୁ ଚରଣ ଜାଲି ଓରଫ କାଳିଆ(୨୭)। ଏଠାରେ ମୁନା ହଳଦୀପଡ଼ିଆ ଅଞ୍ଚଳରେ ରହି ଚୋରା ମଦ କାରବାର କରୁଥିଲା।

ପ୍ରକାଶ ଥାଉ କି, ଚୋରା ମଦବ୍ୟବସାୟକୁ ନେଇ ଦୀର୍ଘ ଦିନ ହେବ କାମେଶ୍ୱର ଓ ମୁନା ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହାକୁ ନେଇ ରବିବାର ସକାଳେ ହଳଦୀପଡ଼ିଆ ଅଞ୍ଚଳରେ ମୁନା ଓ କାମେଶ୍ୱର ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍‌ ହୋଇଥିଲା। ଏହାପରେ କାମେଶ୍ୱର ସେଠାରୁ ଘରକୁ ପଳାଇଥିଲା। ହେଲେ ପାଟିତୁଣ୍ଡକୁ ନେଇ ମୁନାର ରାଗ ଚରମସୀମାରେ ପହଞ୍ଚିଥିଲା। ଆଉ କାମେଶ୍ୱରକୁ ପାନେ ଦେବାପାଇଁ ଯୋଜନା କରିଥିଲା। ରକ୍ତମୁଖା ହୋଇ ଉଠିଥିବା ମୁନା ତୁରନ୍ତ ତାର ସହଯୋଗୀ କାଳୁକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲା। ମୁନାକୁ ମାଡ଼ ହୋଇଥିବା ଜାଣିବା ପରେ ସେ ତୁରନ୍ତ ମୁନା ପାଖରେ ପହଞ୍ଚି ଥିଲା। ଉଭୟ ମୁନା ଓ କାଳୁ ମୋଚିସାହିର ଏକ ସେଲୁନ୍‌ ନିକଟରେ ପହଞ୍ଚି କାମେଶ୍ୱରଙ୍କୁ ଗାଳିଗୁଲଜ କରିଥିଲେ। କାମେଶ୍ୱର କିଛି ବୁଝିବା ପୂର୍ବରୁ ଉଭୟ ଏକ ବାଉଁଶ ମୂଳିରେ ଆକ୍ରମଣ କରିଥିଲେ। କାମେଶ୍ୱର ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଖବର ପାଇ ପୁଲିସ କାମେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏନେଇ କାମେଶ୍ୱରଙ୍କ ସାନଭାଇ ପି. ଗଣପତି ରେଡ୍ଡୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଘଟଣାର କିଛି ସମୟ ପରେ ମୁନାକୁ ଗିରଫ କରିଥିବା ବେଳେ ଆଜି ପୁରୀରୁ କାଳିଆକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର