ଭଦ୍ରକ : ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଭଦ୍ରକ : ନୂଆବର୍ଷରେ ସମସ୍ତେ ମଉଜ୍‌ ମଜଲିସ୍‌ରେ ମାତିଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗାଁରେ ଘଟିଛି ହତ୍ୟାକାଣ୍ଡ। ବଣଭୋଜିରୁ ଫେରୁଥିବା ସମୟରେ ଗାଁର ଚିନ୍ତାମଣି ଶିଅଳଙ୍କ ପୁଅ ସତ୍ୟବ୍ରତ (୨୩)ଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଯୁବକକୁ ପୁଲିସ ଗିରଫ କରିଛି।

ଅଭିଯୋଗ ଅନୁସାରେ, ନୂଆବର୍ଷ ଲାଗି ଗତକାଲି ରାତିରେ ସତ୍ୟବ୍ରତ ଗାଁ ପିଲାଙ୍କ ସହିତ ବଣଭୋଜି କରୁଥିଲେ। ସମସ୍ତେ ଭୋଜି ଖାଇସାରିବା ପରେ ନିଜ ନିଜ ଘରକୁ ପଳାଇ ଯାଇଥିବା ବେଳେ ସେହି ଗାଁର ପ୍ରଶାନ୍ତ ବେହେରା (୨୨) ସତ୍ୟବ୍ରତଙ୍କୁ ଅଟକାଇଥିଲେ। ରାତିରେ ସତ୍ୟବ୍ରତ ଘରକୁ ଫେରିନଥିବା ବେଳେ ଘର ଲୋକେ ସାଙ୍ଗ ଘରେ ରହି ଯାଇଥିବ‌ ଭାବି ଖୋଜାଖୋଜି ମଧ୍ୟ କରିନଥିଲେ। ତେବେ ଆଜି ସକାଳେ ନିକଟସ୍ଥ ଏକ ପଡ଼ିଆରୁ ସତ୍ୟବ୍ରତଙ୍କ ମୃତଦେହ ମିଳିଥିଲା। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସତ୍ୟବ୍ରତ ଦାଦାଙ୍କ ଅଭିଯୋଗକ୍ରମେ ଏ ନେଇ ଗ୍ରାମାଞ୍ଚଳ ଥାନାରେ ମାମଲା ରୁଜୁ ହୋଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ପୁଲିସ ପ୍ରଶାନ୍ତ ବେହେରାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର