ଯୁବକଙ୍କୁ ବୀଭତ୍ସ ହତ୍ୟା : ହାତ, ଗୋଡ଼ ହାଣିଦେଲେ

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ଅଧୀନ ଅଧେଇ ଖାଲ ବସ୍ତି ନିକଟରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ହାତ ଓ ଗୋଡ଼କୁ ଧାରୁଆ ଅସ୍ତ୍ରରେ ହାଣି ଦିଆଯାଇଛି। ପ୍ରଚୁର ରକ୍ତସ୍ରାବ ଯୋଗୁ ମେଡିକାଲ୍‌ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଲେ ଅଧେଇଖାଲ ବସ୍ତିର ଲୋଚନ ଦାସ(୨୯)। ରବିବାର ବିଳମ୍ବିତ ରାତିରେ ଭୋଜି ଖାଇ ଫେରିବା ବେଳେ କେହି ଦୁର୍ବୃତ୍ତ ଲୋଚନଙ୍କ ଦୁଇ ହାତ ଓ ଗୋଡ଼କୁ ହାଣି ଫେରାର ହୋଇଯାଇଛି। ବ୍ୟବଚ୍ଛେଦ ପରେ ଆଜି ଅପରାହ୍ଣରେ ସ୍ଥାନୀୟ ଲୋକ ଲୁଇସ୍‌ରୋଡ୍‌ରେ ଶବ ରଖି ରାସ୍ତାରୋକ କରିଥିଲେ। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତିି ଦିଆଯିବା ପରେ ଲୋକେ ରାସ୍ତାରୁ ହଟିଥିଲେ। ବିଜେବି ନଗର ଅଧେଇ ଖାଲ ବସ୍ତିରେ ରହୁଥିବା ଲୋଚନ ରବିବାର ରାତିରେ ତାଙ୍କ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ। ତାଙ୍କ ଘର ନିକଟରେ ଥିବା ଏକ ସ୍କୁଲ ପଡ଼ିଆରେ ସେ ଭୋଜି ଖାଇ ଘରକୁ ଫେରୁଥିଲେ। କିଛି ବାଟ ଆସିବା ପରେ କେହି ଦୁର୍ବୃତ୍ତ ଏକ ଭୁଜାଲିରେ ଲୋଚନଙ୍କୁ ଆକ୍ରମଣ କରିଥିଲା। ଲୋଚନ କିଛି ବୁଝିବା ବେଳକୁ ତା ମୁଣ୍ଡ, ଦୁଇ ଗୋଡ଼ର ଆଣ୍ଠୁ ଓ ହାତ କହୁଣି ପାଖରେ ଦୁର୍ବୃତ୍ତ ଜଣକ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲା। ଲୋଚନ ଚିତ୍କାର କରି ତଳେ ପଡ଼ିଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆସିବା ବେଳକୁ ଦୁର୍ବୃତ୍ତ ଜଣକ ଫେରାର ହୋଇ ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକ ପ୍ରଥମେ ଲୁଇସ୍‌ ରୋଡ୍‌ରେ ନିକଟରେ ଥିବା ଘରୋଇ ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କୁ କଟକ ବଡ଼ ମେଡକାଲକୁ ପଠାଇ ଦିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଆଜି ସକାଳେ କଟକ ବଡ଼ ମେଡିକାଲରୁ ଶବ ଆସିପବା ପରେ ଉତ୍ତ୍ୟକ୍ତ ଲୋକ ଲୁଇସ ରୋଡ୍‌ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯିବାରୁ ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଥିଲା। ଲୋକମାନେ ୨ଦିନ ମଧ୍ୟରେ ଅଭିଯୁକ୍ତକୁ ଧରିବା ଓ କ୍ଷତିପୂରଣ ଦାବି କରିଥିଲେ। ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ସେମାନେ ରାସ୍ତାରୁ ଉଠିଥିଲେ।

ପୂର୍ବ ଶତ୍ରୁତା ହିଁ କାରଣ

ପୁଲିସ କହିବା ଅନୁଯାୟୀ ଲୋଚନ ନାମରେ ଚୋରି ଓ ରାହାଜାନୀ ମାମଲା ରହିଥିଲା। ସେ ବହୁବାର ଗିରଫ ମଧ୍ୟ ହୋଇଥିଲେ। ତେବେ ଲୁଟ୍‌ପାଟ୍‌ ଘଟଣା କିମ୍ବା ଅନ୍ୟ କେତେକ ଗଣ୍ଡୋଗଳରେ ସାମିଲଥିବାରୁ କେହି ରାଗ ରଖି ଏପରି କରିଥାଇ ପାରେ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜଣେ ଯୁବକ ହାପ୍‌ ପ୍ୟାଣ୍ଟ୍‌ ଓ ହାପ୍‌ ସାର୍ଟ ପିନ୍ଧି ଦୌଡ଼ି ପଳାଇବା ଦେଖିଥିଲୁ। ତେବେ ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଛି ବୋଲି ସେମାନେ କହିଛନ୍ତି। ପୁଲିସ ଏ ନେଇ ଅନୁସନ୍ଧାନ ଆରମ୍ଭ କରିଛି। ତେବେ ଏ ସମ୍ପର୍କରେ ବଡ଼ଗଡ଼ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତ, ଲୋଚନଙ୍କର କେତେକ ସମ୍ପର୍କୀୟଙ୍କୁ ଆଣି ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର