ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ମହମ୍ମଦପୁର ଗୁର୍ଜର ଗ୍ରାମରେ ଜଣେ ୟୁଟ୍ୟୁବରଙ୍କୁ ସାଙ୍ଗମାନେ ପିଟିପିଟି ହତ୍ୟା କରିଛନ୍ତି। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୬ଜଣଙ୍କ ନାମରେ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ୟୁଟ୍ୟୁବରଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ମହମ୍ମଦପୁର ଗୁର୍ଜର ଗ୍ରାମରେ ଜାନୁଆରି ୨୮ ତାରିଖ ରାତିରେ ମନୀଷ ନାମକ ଯୁବକ ଘରେ ଭୋଜିର ଆୟୋଜନ କରିଥିଲେ। ଏଥିପାଇଁ ସେ ୟୁଟ୍ୟୁବର ଦୀପକ ନାଗରଙ୍କୁ ଡକାଇଥିଲେ। ଏଠାରେ ମନୀଷ ମଦ ପିଇ ଅନ୍ୟ କିଛି ଯୁବକଙ୍କ ସହ ମିଶି ଭୋଜି ଖାଇବାକୁ ଆସିଥିବା ଦୀପକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଦୀପକ ଗୁରୁତର ଆହତ ହେବା ଦେଖି ସମସ୍ତେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଦୀପକ ଗୁରୁତର ଆହତ ଅବସ୍ଥାରେ ଘରେ ପହଞ୍ଚିଥିଲେ । ଘର ଲୋକ ପୁଅର ଏଭଳି ଅବସ୍ଥା ଦେଖି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଯାଇଥିଲେ। ଡାକ୍ତରଖାନାରେ ଦୀପକଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ‘ଦୀପକଙ୍କ ମୁଣ୍ଡରେ ଗଭୀର ଭାବେ ଆଘାତ ଲାଗିଥିଲା। ଯେଉଁ କାରଣରୁ ରକ୍ତ ଜମାଟ ବାନ୍ଧି ଦେଇଥିଲା। ଏହାକୁ ଆମେ ଚିକିତ୍ସା ଦ୍ବାରା ଭଲ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୀପକଙ୍କ ଶରୀର ସପୋର୍ଟ କରି ନଥିଲା। ଶେଷରେ ସେ ଆଖିବୁଜି ଦେଇଥିଲେ।’