ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ୟୁଟ୍ୟୁବର ହନିଟ୍ରାପ୍ ମାଧ୍ୟମରେ ଜଣେ ଘରୋଇ କମ୍ପାନି ମାଲିକଙ୍କୁ ପ୍ରେମ ଜାଲରେ ଫସାଇ ୮୦ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଗୁରୁଗ୍ରାମ୍ ପୁଲିସ ଗତ ସୋମବାର ବିଳମ୍ବିତ ରାତିରେ ୟୁଟ୍ୟୁବରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ଗିରଫ ୟୁଟ୍ୟୁବରଙ୍କ ନାମ ୨୨ବର୍ଷୀୟ ନାମରା କାଦିର ବୋଲି ଜଣାପଡ଼ିଛି।
ତେବେ ନାମରାଙ୍କୁ ପୁଲିସ ୪ଦିନିଆ ରିମାଣ୍ଡରେ ନେଇଛି। ପ୍ରାଥମିକ ଯାଞ୍ଚରୁ ନାମରା ନିଜ ଦୋଷ ସ୍ବୀକାର କରିଛନ୍ତି। ଏଥିସହିତ ବ୍ୟବସାୟୀଙ୍କ ଠାରୁ ନେଇଥିବା ସମସ୍ତ ଟଙ୍କାକୁ ପୁଲିସ ନିକଟରେ ଦେଇ ଦେଇଛନ୍ତି। ଆଗକୁ ଏହି ଘଟଣାରେ ପୁଲିସକୁ ସମ୍ପର୍ଣ୍ଣ ସହଯୋଗ କରିବେ ବୋଲି ବି ନାମରା କହିଛନ୍ତି। ସେ ଏପରି କାମ କରିଥିବାରୁ ପୁଲିସ ସମ୍ମୁଖରେ ଅନୁତାପ ବି କରିଥିବା ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ନଭେମ୍ବର ୨୪ରେ ବାଦଶାହପୁରର ଜଣେ ବ୍ୟବସାୟୀ ଗୁରୁଗ୍ରାମର ସେକ୍ଟର-୫୦ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଠକେଇ ହୋଇଥିବା ଅଭିଯୋଗ ଆଣିଥିଲେ। କେବଳ ସେତିକି ନୁହେଁ, ନାମରା ଉକ୍ତ ବ୍ୟବସାୟୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ମଧ୍ୟ ଫସାଇଦେବାକୁ କହି ଧମକ ଦେଇଥିଲେ।
ନାମ୍ରା ତାଙ୍କ ସ୍ବାମୀ ମନୀଷ ଓରଫ ବିରାଟ ବେନିବଲଙ୍କ ସହିତ ମିଶି ହନିଟ୍ରାପ୍ ଜରିଆରେ ଏହି କଳା ବ୍ୟବସାୟ କରୁଥିଲେ। ୟୁଟ୍ୟୁବରେ ନାମ୍ରାଙ୍କ ୬ଲକ୍ଷରୁ ଅଧିକ ଫଲୋଅର୍ସ ରହିଥିବା ଜଣାପଡ଼ିଛି। ଏହି ଘଟଣା ରେ ସମ୍ପୃକ୍ତ ଥିବା ମହିଳାଙ୍କ ସ୍ବାମୀ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏହି ଦମ୍ପତି ଦିଲ୍ଲୀର ଶାଲିମାର ବାଗରେ ବସବାସ କରୁଥିବା ଜଣାପଡ଼ିଛି।