ଜେଡ୍‌-ଇନ୍‌ଫ୍ରା ନିର୍ଦ୍ଦେଶିକା ଗିରଫ

ଭୁବନେଶ୍ୱର : ଭୁବନେଶ୍ବର ଆଇଆଇଟି ନିକଟରେ ଶସ୍ତାରେ ଜମି ଦେବା ନାଁରେ ଠକେଇ ଅଭିଯୋଗରେ ଜେଡ୍‌-ଇନ୍‌ଫ୍ରା କନ୍‌ଷ୍ଟ୍ରକସନ୍‌ ନାମକ କମ୍ପାନିର ନିର୍ଦ୍ଦେଶିକା ରଶ୍ମିତା ପାତ୍ରଙ୍କୁ ଆଜି ଇଓଡବ୍ଲୁ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ କଟକ ଓପିଆଇଡି କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଗତ ବର୍ଷ ଅଗଷ୍ଟ ମାସରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ତଥା ରଶ୍ମିତାଙ୍କ ସ୍ବାମୀ ପ୍ରସନ୍ନ କୁମାର ପାତ୍ର ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଇଓଡବ୍ଲୁ ଏବେ ଟାର୍ଗେଟ କରିଛି। ଭୁବନେଶ୍ବରର ମନୋରଞ୍ଜନ ମିଶ୍ରଙ୍କ ଅଭିଯୋଗ କ୍ରମେ ଇଓଡବ୍ଲୁ ଏକ ମାମଲା(୧୭/୨୦୧୮) ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ଆଇଆରସି ଭିଲେଜ୍‌ ନୟାପଲ୍ଲୀର ଏହି ଦମ୍ପତି ‌ଜେଡ୍‌-ଇନ୍‌ଫ୍ରା କନ୍‌ଷ୍ଟ୍ରକସନ ନାମକ ସଂସ୍ଥା ଖୋଲିଥିଲେ। ଭୁବନେଶ୍ବର ଜଟଣୀ ତହସିଲ ଅଧୀନ ଆଇଆଇଟି ପାର୍ଶ୍ବରେ ଜମି ଯୋଗାଇଦେବା ପାଇଁ ଗ୍ରାହକଙ୍କ ସହ ଚୁକ୍ତି କରିଥିଲେ। ୨୦୧୦ରୁ ୨୦୧୩ ମସିହା ଭିତରେ ଏହି ସଂସ୍ଥା ୩୦୦ ଲୋକଙ୍କ ଠାରୁ ୧୨ କୋଟି ଆଦାୟ କରିଥିଲେ। କିନ୍ତୁ ସଂସ୍ଥା କୌଣସି ଜମିର ମାଲିକ ନଥିଲା ବା କୌଣସି ଲୋକଙ୍କଠାରୁ ଜମି ମଧ୍ୟ ନେଇ ନଥିଲା। ବିଳମ୍ବ ହେବାରୁ କିଛି ଜମି କିଣି ସଂସ୍ଥା କେତେକଙ୍କୁ ବିକ୍ରି କରିଥିଲା। ଗ୍ରାହକମାନେ ଘଟଣାସ୍ଥଳରେ ପହଞ୍ଚି କିଣିଥିବା ଜମିକୁ ରାସ୍ତା ନଥିବା ଦେଖିଥିଲେ। କିଛି ଗ୍ରାହକ ଯେତିକି ଜମି କିଣିଥିଲେ ବାସ୍ତବରେ ସେତିକି ପରିମାଣର ଜମି ନଥିବା ଜାଣିବାକୁ ପାଇଥିଲେ। ଏ ନେଇ ଗ୍ରାହକ ମନୋରଞ୍ଜନ କ୍ରାଇମ୍‌ ବ୍ରାଞ୍ଚ୍‌ର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିବା ସହ ଏମାନଙ୍କୁ ଗିରଫ କରିଥିଲା। ଏହି ଦମ୍ପତିଙ୍କ ସହ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଇଓଡବ୍ଲୁ କହିଛି।

ସମ୍ବନ୍ଧିତ ଖବର