ପୁଣେ: ମହାରାଷ୍ଟ୍ରର ପୁଣେରେ ଖାଦ୍ୟ ଡେଲିଭରି କରୁଥିବା କମ୍ପାନି ଜୋମାଟୋ ଓ ଏକ ହୋଟେଲ ଉପରେ ଜିଲ୍ଲା ଉପଭୋକ୍ତା ଫୋରମ ୫୫ହଜାର ଟଙ୍କାର ଜରିମାନା କରିଛି । ଏହି ଜରିମାନା ଦେବାରେ ବିଳମ୍ବ ହେଲେ ୧୦ ପ୍ରତିଶତ ଅତିରକ୍ତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ବି ନିର୍ଦ୍ଦେଶ ଦେଇଛି ଉପଭୋକ୍ତ ଫୋରମ। ଅଭିଯୋଗ ହୋଇଛି କି, ଜଣେ ଆଇନଜୀବୀ ଶାକାହାରୀ ଭୋଜନ ଅର୍ଡର କରିଥିବା ବେଳେ ତାଙ୍କ ପାଖରେ ଆମିଷ ଭୋଜନ ଆସି ପହଞ୍ଚିଥିଲା।
ଆଇନଜୀବୀ ସନମୁଖ ଦେଶମୁଖ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ରେ ପ୍ରାକ୍ଟିସ୍ କରୁଛନ୍ତି। ସେ କୌଣସି କାମରେ ପୁଣେ ଯାଇଥିଲେ। ଏଠାରେ ସେ ଜୋମାଟୋ ଆପ୍ ବ୍ୟବହାର କରି ଗୋଟିଏ ହୋଟେଲ୍ରୁ ପନୀର ବଟର ମସଲା ଅର୍ଡର କରିଥିଲେ।
ଅଭିଯୋଗ ହୋଇଛି କି, ଗୁରୁବାର ସାରାଦିନ ସେ ଉପବାସ ରହିବା ପରେ ସନ୍ଧ୍ୟାରେ ଓଷା ଭାଙ୍ଗିବା ପାଇଁ ଜୋମାଟୋରୁ ପନୀର ବଟର ମସଲା ଅର୍ଡର କରିଥିଲେ। ଏହି ଅର୍ଡର ଖୋଲିଲା ବେଳକୁ ସେଥିରେ ଚିକେନ୍ ବଟର ମସଲା ଥିବା ସେ ଦେଖିବାକୁ ପାଇଥିଲେ।
ଏହାପରେ ଆଇନଜୀବୀ ସନମୁଖ ଦେଶମୁଖଙ୍କ ଅଭିଯୋଗ ମୁତାବକ ଉପଭୋକ୍ତା ଫୋରମ ପୁଣେସ୍ଥିତ ଜୋମାଟୋ ଅଫିସ୍ ଓ ତାର ଗୁରୁଗ୍ରାମ ହେଡ ଅଫିସ୍ ସହିତ ହୋଟେଲ ପ୍ରୀତ ପଞ୍ଜାବି ସ୍ୱାଦ ଉପରେ ଜରିମାନା ଲଗାଇ ଥିଲା। ଏଥିସହିତ ଫୋରମ ନିର୍ଦ୍ଦେଶ ଦେଇଛନ୍ତି କି ଏହି ଜରିମାନା ରାଶି ୪୫ଦିନ ମଧ୍ୟରେ ଯଦି ପୈଠ ନ ହେଲା ତେବେ ୧୦ପ୍ରତିଶତ ସୁଧ ସହିତ ଉକ୍ତ ଜରିମାନା ଦେବାକୁ ପଡ଼ିବ।