ଗଂଜାମ: କିଛି ଦିନର ବିରତ ପରେ ଗଂଜାମ ଜିଲ୍ଲାରେ ପୁଣି ମାତିଛନ୍ତି ରାଜପଥ ଲୁଟେରା ଗ୍ୟାଙ୍ଗ୍। ରମ୍ଭା ଥାନା ସାନରାମଚନ୍ଦ୍ରପୁର ଗ୍ରାମ ସଂଲଗ୍ନ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଦେଶୀ ମଦ ଭାଟିରେ ଲୁଟେରା ଗ୍ୟାଙ୍ଗ୍ ଆଜି ଭୋର୍ ୫ଟାରେ ଆତଙ୍କରାଜ ଖେଳାଇଛନ୍ତି। ଭାଟି ଭିତରେ ଥିବା ୧୦ଜଣ କର୍ମଚାରୀଙ୍କୁ ମାଉଜର୍ ଦେଖାଇ ଧମକଚମକ ଦେବା ସହ ଆଲମିରାରୁ ୯ଲକ୍ଷ ୯୨ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ଧଳା ରଂଗର ସ୍କର୍ପିଓରେ ଆସି ଲୁଟେରା ମାନେ ସେମାନଙ୍କ ଯୋଜନାକୁ ରୂପ ଦେଇଥିଲେ। ଆଉ ଆଖି ପିଛୁଳାକେ ଭୁବନେଶ୍ୱର ଆଡ଼କୁ ଚମ୍ପଟ ମାରିଥିଲେ।
ଏନେଇ କର୍ମଚାରୀ କେ.କୀର୍ତି ରମ୍ଭା ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଛତ୍ରପୁର ଏସ୍ଡିପିଓ ରମେଶ ଚନ୍ଦ୍ର ସେଠୀ ଓ ରମ୍ଭା ଥାନା ଅଧିକାରୀ ନମିତା ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାର ତଦନ୍ତ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଜାଗାରେ ଚଢଉ ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ର ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Thief.jpg)