ଖୋର୍ଧା: ଖୋର୍ଧା ବ୍ଲକ ତାପଙ୍ଗ ମୌଜାସ୍ଥିତ ମାନ୍ଧାତା କ୍ରସର୍ ପରିସରରେ ଥିବା ବଜୁରୀଗଦା ତଳୁ ସଦର ଥାନା ପୁଲିସ ଆଜି ମହିଳା ସୁକୁମାରୀ ମଲ୍ଲିକଙ୍କ ଗଳିତ ଶବକୁ ଉଦ୍ଧାର କରିଛି। ଦିନ ପ୍ରାୟ ୧୧ଟା ବେଳେ ମାଜିଷ୍ଟ୍ରେଟ୍ ଅତିରିକ୍ତ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ସାଇଣ୍ଟିଫିକ୍ ଟିମ୍ ଓ ସୁକୁମାରୀଙ୍କ ବାପା ବାବୁଲା ଦାସଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ବଜୁରୀଗଦା ଖୋଳା ଯାଇଥିଲା। ପ୍ରାୟ ୧୦ଫୁଟ୍ ତଳୁ ସୁକୁମାରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସଦର ଥାନା ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଦଫା ୩୦୨, ୨୦୧ରେ ପୁଲିସ ୧୬୯/୧୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ହାଇଓ୍ଵା ଚାଳକ ଅକ୍ଷୟ ମଲ୍ଲିକଙ୍କୁ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ବିକ୍ରମ ଜେନା ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାରୁ ପ୍ରକାଶ, ୪ ଭଉଣୀ ଓ ୨ ଭାଇଙ୍କ ମଧ୍ୟରେ ବାପା, ମାଙ୍କ ବଡ଼ ଝିଅ ସୁକୁମାରୀ ମଲ୍ଲିକ ଯାଜପୁର ଜିଲ୍ଲା ଚଣ୍ଡୀଖୋଲ ଅଞ୍ଚଳରେ ରହୁଥିଲେ। ଖୋର୍ଧା ତାପଙ୍ଗ ମୌଜାସ୍ଥିତ ମାନ୍ଧାତା କ୍ରସର୍ରେ ହାଇଓ୍ଵା ଚାଳକ ଭାବେ କାମ କରୁଥିବା ଅକ୍ଷୟ ମଲ୍ଲିକକୁ ସେ ବର୍ଷେ ତଳେ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ଭଲରେ ବିତିବା ପରେ ଉଭୟଙ୍କ ମଧ୍ୟରେ କଥା କଥାକେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ୪ ଦିନ ତଳେ ଅର୍ଥାତ୍ ଗତ ମାସ ୨୯ତାରିଖ ଦିନ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଅକ୍ଷୟ ନିକଟରେ ପଡ଼ିଥିବା ଏକ ପଥରରେ ସୁକୁମାରୀଙ୍କ ମୁହଁ ଓ ମୁଣ୍ଡକୁ ଅତି ବୀଭତ୍ସ ଭାବେ ଛେଚି ହତ୍ୟା କରିଥିଲା। ତେବେ ଘଟଣା ପ୍ରଘଟ ହେବା ଭୟରେ ଅକ୍ଷୟ କାମ କରୁଥିବା ମାନ୍ଧାତା ପରିସରରେ ଥିବା ଏକ ବଜୁରୀଗଦା ଭିତରେ ସୁକୁମାରୀଙ୍କ ଶବକୁ ପୋତି ଦେଇଥିଲା। ଗତକାଲି କ୍ରସର୍ ମାଲିକ ଏ ସଂପର୍କରେ ଜାଣି ପାରି ଖୋର୍ଧା ସଦର ଥାନାକୁ ଖବର ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସଦର ଥାନା ଆଇଆଇସି ବିକ୍ରମ ଜେନା କୌଶଳକ୍ରମେ ଅଭିଯୁକ୍ତ ଅକ୍ଷୟକୁ ଜଟଣୀ ରେଳ ଷ୍ଟେସନ୍ରୁ ଧରି ଆଣି ପଚରାଉଚରା କରିବାରୁ ସେ ପୁଲିସ ଆଗରେ ସବୁ ସତ ମାନି ଯାଇଥିଲା।
ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିବାରୁ ଆଜି ମାନ୍ଧାତା ପରିସର ନିକଟରେ ଗହଳି ଦେଖା ଦେଇଥିଲା। ଦିନ ପ୍ରାୟ ୧୧ଟାରେ ସଦର ଥାନା ପୁଲିସ ଅକ୍ଷୟକୁ ଧରି ମୃତଦେହ ପୋତା ଯାଇଥିବା ସ୍ଥାନ ଠାବ କରିଥିଲା। ମାଜିଷ୍ଟ୍ରେଟ୍, ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଜେସିବିରେ ବଜୁରୀ ଗଦା ଖୋଳା ଯାଇଥିଲା। ପ୍ରାୟ ୧୦ ଫୁଟ ଖୋଳାଯିବା ପରେ ସୁକୁମାରୀଙ୍କ ଶବର ହାତ, ଗୋଡ଼ ଦେଖା ଯାଇଥିଲା। ସୁକୁମାରୀଙ୍କ ବାପା ବାବୁଲା ନିଜେ ବଜୁରୀକୁ ଆଡ଼େଇ ଝିଅ ସୁକୁମାରୀର ମୃତଦେହକୁ କାଢ଼ିଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ସ୍ତମ୍ଭୀଭୂତ ହୋଇ ଯାଇଥିଲେ।
ମହିଳାଙ୍କୁ ମାରି ପୋତିଦେବା ଘଟଣା: ବଜୁରୀଗଦାରୁ ଶବ ଉଦ୍ଧାର
/sambad/media/post_attachments/wp-content/uploads/2017/10/mu-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)