ଶାଳଚୁଆ,କପ୍ତିପଦା: ଜନ୍ମକଲା ବାପା ସାଜିଲା ହତ୍ୟାକାରୀ। ରକ୍ତ ସମ୍ପର୍କକୁ ଭୁଲି ପାଲଟିଗଲା ରାକ୍ଷସ। ଯେଉଁ ପୁଅ ମାଆ ଅପେକ୍ଷା ବାପାକୁ ଅଧିକ ଭଲପାଉଥିଲା, ସେଇ ପୁଅ ଜାଣିନଥିଲା ଯେ ତା’ର ଜୀବନ ନିଜ ବାପା ନେଇଯିବ ବୋଲି। ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ପଞ୍ଚାୟତର ଗାଲାସାହି ଗ୍ରାମରେ।

Advertisment

publive-image

ଗାଲାସାହି ଗ୍ରାମର ମଧୁ ସିଂ ହେମ୍ବ୍ରମ ଆଜି ସକାଳେ ଗାଁ ନିକଟ ଏକ ଚାଷଜମିରେ ନିଜ ଗୋରୁକୁ ଚରିବା ପାଇଁ ବାନ୍ଧିଥିଲା। ଯାହାକୁ ନେଇ ଜମି ମାଲିକ ଓ ମଧୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଧୁ ଜମି ମାଲିକଙ୍କୁ ଆକ୍ରମଣ କରିଥିଲା ଏବଂ ରାଗ ଜର୍ଜରିତ ହୋଇ ଘରକୁ ଫେରିଥିଲା। ତେବେ ଘରେ ପହ‌ଞ୍ଚି ତା’ର ୫ ବର୍ଷର ବଡ଼ପୁଅ ସର୍ଦାର କୌଣସି କାରଣରୁ କାନ୍ଦୁଥିବା ଦେଖିଥିଲା। ଫଳରେ ମଧୁ ମାନସିକ ସନ୍ତୁୁଳନ ହରାଇ ନିଜ ପୁଅକୁ ଘରୁ ଟେକିଆଣି ବାହାରେ ଥିବା ଏକ ପଥର ଉପରେ ବାରମ୍ବାର କଚାଡ଼ିଥିଲା। ଏତିକିରେ ତା’ର ରାଗ ଶାନ୍ତ ହୋଇନଥିଲା। ରକ୍ତ ଜୁଡ଼ୁବୁଡ଼ୁ ପୁଅକୁ କାନ୍ଧରେ ପକାଇ ନିକଟରେ ଥିବା ଏକ ପୋଖରୀକୁ ନେଇ ବୁଡ଼ାଇ ରଖିଥିଲା। କାଳେ ପୁଅ ବଞ୍ଚିଯିବ ଭାବି ପାଣିରୁ ଉଠାଇ ଆଣି ପୁଣି ପୋଖରୀ ଆଡ଼ିରେ ବାରମ୍ବାର କଚାଡ଼ିଥିଲା। ଏହାପରେ ଏକ ବିଲରେ ପୁଅର ମୃତଦେହକୁ ପକାଇଦେଇ ମଧୁ ଘରକୁ ପଳାଇ ଆସିଥିଲା। ତେବେ ଏନେଇ ଗାଁ ଲୋକେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଶରତ ଥାନା ପୁଲିସ, କପ୍ତିପଦା ଉପଖଣ୍ତ ପୁଲିସ ଅଧିକାରୀ ଓ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହତ୍ୟାକାରୀ ମଧୁକୁ ଗିରଫ କରିବା ସହ ମୃତଦେହ ଉଦ୍ଧାର କରିଥିଲେ। ଏନେଇ ଶରତ ଥାନାରେ କେସ୍‌ ୨୬/୧୯ରେ ଏକ ମାମଲା ରୁଜୁ ହୋଇଥବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଉଦଳା ପଠାଇଛି। ସୂଚନାଯୋଗ୍ୟ; ୫ ଦିନ ତଳେ ମଧୁ ତା’ର ପତ୍ନୀଙ୍କୁ ପିଟାମରା କରିଥିଲେ। ଫଳରେ ସେ ନିଜ ସାାନପୁଅକୁ ଧରି ବାପଘର ଯାଜପୁରକୁ ଚାଲିଯାଇଛନ୍ତି। ବଡ଼ପୁଅ ସର୍ଦାର ବାପାକୁ ଅଧିକ ଭଲ ପାଉଥିବାରୁ ମା’ ସହ ନଯାଇ ବାପା ପାଖ‌ରେ ରହିଥିଲା।