କରୋନା ଆକ୍ରାନ୍ତଙ୍କ ଅନ୍ନଦାତା: ମାଗଣାରେ ଘରେ ପହଞ୍ଚାଉଛନ୍ତି ଖାଦ୍ୟ ଓ ଔଷଧ

ସହାୟତା ହାତ ବଢ଼ାଇଛନ୍ତି ମିଶନ ରାଉରକେଲା ଓ ଶିଖ୍‌ ପରିବାର

ରାଉରକେଲା : ରୋଟାରୀ କ୍ଲବ ଅଫ୍‌ ରାଉରକେଲା କୁଇନ୍ସ ପରେ କରୋନାରେ କାଳରେ ମହାନୀୟତା ଦେଖାଇଛନ୍ତି ଛେଣ୍ଡ କଲୋନିର ମିଶନ ରାଉରକେଲା ଓ ସିଭିଲଟାଉନସିପ୍‌ର ଶିଖ୍‌ ପରିବାର। ସଂକ୍ରମଣକୁ ଖାତିର ନକରି କରୋନା ଆକ୍ରାନ୍ତଙ୍କୁ ଆହାର ଯୋଗାଉଛନ୍ତି ଏହି ମିଶନ ରାଉରକେଲା ଓ ସିଭିଲଟାଉନସିପ୍‌ର ଶିଖ୍‌ ପରିବାର। କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ପାଲଟିଛନ୍ତି ଅନ୍ନଦାତା। ମିଶନ ରାଉରକେଲା ରନ୍ଧାଖାଦ୍ୟ ସହ ଔଷଧ ମାଗଣା‌ରେ ଦେଉଥିବା ବେଳେ ଶିଖ୍‌ ପରିବାର ସଦସ୍ୟମାନେ ନିଜ ଘରେ ପ୍ରସ୍ତୁତ ରନ୍ଧାଖାଦ୍ୟ ମାଗଣରେ କରୋନା ଆକ୍ରାନ୍ତ ରୋଗୀଙ୍କ ଘରେ ପହଞ୍ଚାଉଛନ୍ତି।

ମିଶନ ରାଉରକେଲା ଦିନକୁ ପ୍ରାୟ ୧୦୦ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଦୁଇ ଓଳି ରନ୍ଧା ଖାଦ୍ୟ ଦେଉଛନ୍ତି। ଏଥିସହ ଗରିବ ଲୋକଙ୍କ ଘରେ ମାଗଣାରେ ଔଷଧ ଘରେ ପହଞ୍ଚାଉଛନ୍ତି। ଛେଣ୍ଡ, କୋଏଲନଗର, ଶକ୍ତିନଗର, ପାୱାର ହାଉସ୍‌ ରୋଡ, ପ୍ଲାଣ୍ଟସାଇଟ୍‌, ବାସନ୍ତି କଲୋନି, ଫର୍ଟିଲାଇଜର ହୋମ୍‌ ଆେଇସୋଲେସନ୍‌ରେ ରହୁଥିବା କରୋନା ରୋଗୀଙ୍କୁ ଘରେ ଦୁଇ ଓଳି ରନ୍ଧା ଖାଦ୍ୟ ସହ ଔଷଧ ପହଞ୍ଚାଉଛନ୍ତି। ନେତୃତ୍ବ ନେଇଛନ୍ତି ମିଶନ ରାଉରକେଲାର ସଭାପତି ବାବୁ ଖାନ୍‌। ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଝରଣା ନାୟକ, ସଂଗ୍ରାମ ନାୟକ, ସାଗର ଆଚାର୍ଯ୍ୟ, ସିତୁ ସାମଲ, ସୋନାଲି ମହାପାତ୍ର, ପଲ୍ଲବୀ ସାହୁ, ସତ୍ୟଜିତ୍‌ ଷଡଙ୍ଗୀ, ସୋନାଲି ସାହୁ, ସଙ୍ଗିତା ମିଶ୍ର, ଅହଲ୍ୟା ପାଣି।

ଛେଣ୍ଡ କଳିଙ୍ଗ ବିହାରର ବାବୁ, ଟିମ୍‌ର ସଦସ୍ୟମାନଙ୍କ ସହାୟତାରେ ସକାଳ ୬ଟାରୁ ଖାଦ୍ୟ ପ୍ରସ୍ତୁତିରେ ଲାଗି ପଡୁଛନ୍ତି। ପରେ ଅଞ୍ଚଳ ଅନୁଯାୟୀ ବ୍ୟାଗ୍‌ରେ ଖାଦ୍ୟ ପୁଡିଆକୁ ଧରି ଘରେ ଘରେ ପହଞ୍ଚାଉଛନ୍ତି। କେବଳ ଖାଦ୍ୟ, ଔଷଧ ନୁହେଁ ଆଗାମୀ ଦିନରେ ଗରିବ କରୋନା ଆକ୍ରାନ୍ତଙ୍କ ଘରେ ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ବାବୁ। ସେ କହିଛନ୍ତି, ଏଭଳି ଜଟିଳ ସମୟରେ ଲୋକଙ୍କ ପାଖରେ ଛିଡା ହେବା ଆମ ସଙ୍ଗଠନର ଲକ୍ଷ୍ୟ। ଏହି କାମ ଆମକୁ ବେଶ୍‌ ଆତ୍ମସନ୍ତୋଷ ଦେଉଛି। ସଙ୍ଗଠନର ପ୍ରତ୍ୟେକ ସଭ୍ୟ ନିଜ ପକେଟ୍‌ରୁ ଅର୍ଥ ସଂଗ୍ରହ କରି କରୋନା ଆକ୍ରାନ୍ତଙ୍କୁ ସହାୟତା କରୁଛୁ। ସହରର ଆହୁରି ୨/୩ଟି ସଙ୍ଗଠନ କାମ କରୁଛନ୍ତି। ଏମିତି ଆଉ କିଛି ସଙ୍ଗଠନ ଆଗେଇ ଆସିଲେ କରୋନା ଆକ୍ରାନ୍ତଙ୍କ ମୁହଁରେ ନିଶ୍ଚିତ ହସ ଫୁଟିବ, ଏଥିରେ ଦ୍ବିମତ ନାହିଁ।

ସେହିଭଳି ସିଭିଲଟାଉନସିନ୍‌ର ଶିଖ୍‌ ପରିବାର ମଧ୍ୟ ପାଲଟିଛନ୍ତି ଦେବଦୂତ। ଗୁରିନ୍ଦର ସିଂହ, ପତ୍ନୀ ପୁଷ୍ପିନ୍ଦର କୌର, ପିଲାଛୁଆ ସହ ସମ୍ପର୍କୀୟ ମିଶି କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ରନ୍ଧାଖାଦ୍ୟ ପହଞ୍ଚାଇବାକୁ ଦିନ ରାତିକୁ ଏକାକାର କରି ଦେଇଛନ୍ତି। ୧୦୦ରୁ ୨୦୦ ପ୍ୟାକେଟ୍‌ ନୁହେଁ, ଦୈନିକ ଦୁଇଭଳି ୭୦୦ ପ୍ୟାକେଟ୍‌ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ମିଠା, ରାଜମା ଦେଉଥିବାବେଳେ ରାତିରେ ଡାଲ୍‌ମା ଓ ପରଠା ଦେଉଛନ୍ତି। ଗୁରିନ୍ଦର କେବଳ ଖାଦ୍ୟ ତିଆରି କରୁ ନାହାନ୍ତି ବରଂ କରୋନା ଆକ୍ରାନ୍ତଙ୍କ ଘରେ ଖାଦ୍ୟ ପହଞ୍ଚାଉଛନ୍ତି। ବାସନ୍ତୀ କଲୋନି, ଛେଣ୍ଡ କଲୋନି, ଜଗଦା, ସେକ୍ଟର, କୋଏଲନଗର, ବେଦବ୍ୟାସ, ପାନପୋଷ, ସିଭିଲଟାଉନସିପ୍‌, କୋଏଲନଗର, ଶକ୍ତିନଗର, ଫର୍ଟିଲାଇଜର ଆଦି ଅଞ୍ଚଳରେ ନିଜେ ଗୁରିନ୍ଦର ଘରକୁ ଘରକୁ ଯାଇ ଖାଦ୍ୟ ପୁଡିଆ ବାଣ୍ଟୁଛନ୍ତି। ଗତ ୧୦ ଦିନ ତଳେ ମାତ୍ର ୪୦ ଜଣ କରୋନା ଆକ୍ରାନ୍ତଙ୍କ ଘରେ ଖାଦ୍ୟ ପହଁଞ୍ଚାଉଥିଲେ ଗୁରିନ୍ଦର । ୪୦ରୁ ବଢ଼ି ବର୍ତ୍ତମାନ ୩୫୦ କରୋନା ଆକ୍ରାନ୍ତଙ୍କ ଘରେ ଦୁଇ ଓଳି ରନ୍ଧାଖାଦ୍ୟ ଦେଉଛନ୍ତି ଗୁରିନ୍ଦର । ଏଥିପ୍ରତି ପୁରା ପରିବାର ଭୋର ପ୍ରାୟ ୫ଟାରୁ ଉଠି ଖାଦ୍ୟ ପ୍ରସ୍ତୁତିରେ ଲାଗି ପଡୁଛନ୍ତି। ତାଙ୍କୁ ଏହି କାମରେ କିଛି ସମ୍ପର୍କୀୟ ମଧ୍ୟ ସହାୟତା କରୁଛନ୍ତି। ଖାଦ୍ୟ ପ୍ରସ୍ତୁତି ସରିବା ପରେ ପରିବାର ସଦସ୍ୟ ଓ ସମ୍ପର୍କୀୟ ଲୋକ ମିଶି ପ୍ୟାକେଟ୍‌ କରୁଛନ୍ତି। ପରେ ଅଞ୍ଚଳ ଅନୁଯାୟୀ ଖାଦ୍ୟ ପୁଡିଆ ପହଞ୍ଚାଇବାକୁ ବାହାରି ଯାଉଛନ୍ତି। ଅପରାହ୍ନ ଦେଢ଼ଟା ସୁଦ୍ଧା ଖାଦ୍ୟ ପୁଡିଆ ପହଞ୍ଚାଇବା ପରେ ପୁଣି ରାତି ପାଇଁ ଖାଦ୍ୟ ପ୍ରସ୍ତୁତିରେ ଲାଗି ପଡୁଛନ୍ତି।

ଶିଖ୍ ପରିବାର ଓ ମିଶନ ରାଉରକେଲାର ଏଭଳି ମହନୀୟତାକୁ ସହରର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଶିଖ୍ ପରିବାର ଗୁରିନ୍ଦର କହିଛନ୍ତି, ଏଭଳି ଜଟିଳ ସମୟରେ ସଂକ୍ରମଣର ଭୟ ଥିଲେ ହେଁ ରୋଗୀଙ୍କ ଘରେ ଖାଦ୍ୟ ପହଞ୍ଚାଉଛି। କରୋନା କଟକଣା ନିୟମ ପାଳନ କରି ଏଭଳି କାର୍ଯ୍ୟ ଜାରି ରଖିଛୁ। ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏଭଳି ମହତ କାର୍ଯ୍ୟରୁ କେବଳ ମୋତେ ନୁହେଁ ଆମ ସମସ୍ତଙ୍କୁ ବେଶ୍‌ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଗୁରିନ୍ଦର।

ସମ୍ବନ୍ଧିତ ଖବର