ରାୟଗଡ଼ା: ରାୟଗଡ଼ା ସହରର ଇନ୍ଦିରା ନଗର, ଗାନ୍ଧୀ ନଗରରେ ଖୋଲିଥିବା ଦୁଇ କୋଭିଡ଼୍ ସ୍ବାବ ପରୀକ୍ଷା କେନ୍ଦ୍ରକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ପରୀକ୍ଷଣ ପାଇଁ ଆସୁଥିବା ଲୋକେ ଏଣେତେଣେ ଘୁରି ବୁଲିବା ସହ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ତୁରନ୍ତ ପରୀକ୍ଷା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲୋକେ ଦାବି କରିଛନ୍ତି। ଲୋକଙ୍କ ବିରୋଧ ପରେ ପ୍ରଶାସନ ଗାନ୍ଧୀ ନଗର ପରୀକ୍ଷା କେନ୍ଦ୍ରକୁ ରାୟଗଡ଼ା କଲେଜକୁ ସ୍ଥାନାନ୍ତର କରିଛି। ଆସନ୍ତାକାଲିଠୁ ରାୟଗଡ଼ା କଲେଜ ପରିସରରେ ସ୍ବାବ ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଥିଲା କୋଭିଡ଼୍ ସ୍ବାବ ପରୀକ୍ଷା। ଦିନକୁ ୨ ଶହ ସ୍ବାବ ପରୀକ୍ଷଣ ହେଉଥିବା ବେଳେ ଭୋର ୫ଟାରୁ ଲୋକେ ଲାଇନରେ ଅପେକ୍ଷା କରୁଥିଲେ। ସ୍ବାବ ପରୀକ୍ଷଣ ପାଇଁ ଶହ ଶହ ଲୋକ ଆସୁଥିବା ବେଳେ ମେଡ଼ିକାଲ୍ ପରିସରରେ କୌଣସି ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନ୍ୟପକ୍ଷରେ ପ୍ରତିଦିନ ପଞ୍ଜିକରଣ ତାଲିକା ୨୦୦ ଟପିବା ପରେ ପରୀକ୍ଷା ପାଇଁ ଆସିଥିବା ଅନ୍ୟ ଲୋକଙ୍କୁ ମେଡ଼ିକାଲ୍ କର୍ତ୍ତୃପକ୍ଷ ଫେରାଉ ଦେଉଥିଲେ। ସଂକ୍ରମଣ ବଢ଼ିବା ପରେ ପରୀକ୍ଷଣ କେନ୍ଦ୍ର ବଢ଼ାଇବା ପାଇଁ ଦାବି ଜୋରଦାର ହେବା ପରେ ଶୁକ୍ରବାରରୁ ସହରର ଇନ୍ଦିରା ନଗର, ଗାନ୍ଧୀ ନଗର ସ୍କୁଲରେ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏପରିକି ଆଣ୍ଟିଜେନ୍ କିଟରେ କରୋନା ପଜିଟିଭ୍ ଚିହ୍ନଟ ଲୋକଙ୍କୁ କେନ୍ଦ୍ରରେ ହିଁ ମେଡ଼ିସିନ୍ ପ୍ରଦାନ କରାଯାଉଥିଲା। ରିପୋର୍ଟ ନେଗେଟିଭ୍ ଆସୁଥିବା ଲୋକଙ୍କୁ ମଧ୍ୟ ଆଣ୍ଟି କୋଭିଡ଼୍ ମେଡିସିନ୍ ସ୍ବାସ୍ଥ୍ୟ ବିଭାଗ ଦେଉଥିଲା। ତେବେ କେନ୍ଦ୍ର ଖୋଲିବାର ଦ୍ବିତୀୟ ଦିନରେ ଗାନ୍ଧୀ ନଗରବାସୀ ବିରୋଧ କରିଥିଲେ। ସ୍ବାବ ପରୀକ୍ଷା ପାଇଁ ଆସୁଥିବା ଲୋକ ଏଣେତେଣେ ବୁଲିବା ସହ ବିଭିନ୍ନ ଲୋକଙ୍କ ସହ ମିଳାମିଶା କରୁଛନ୍ତି। ରାସ୍ତାର ଉଭୟ ପାର୍ଶ୍ବରେ ବାଇକ୍ ପାର୍କିଂ କରୁଥିବାରୁ ଯାତାୟାତରେ ମଧ୍ୟ ଅସୁବିଧା ହେଉଛି। ରିପୋର୍ଟ ପାଇଁ ଲୋକେ ବିଭିନ୍ନ ଲୋକଙ୍କ ବାରଣ୍ଡାରେ ବସି ରହିବା ସହ ଛୋଟ ଛୋଟ ପିଲାଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଯାହା ଆଗକୁ ସଂକ୍ରମଣ ବଢ଼ାଇପାରେ ବୋଲି ସୁଶାନ୍ତ ନାୟକ, ଶିବ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ପରେ ପ୍ରଶାସନ ରାୟଗଡ଼ା କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରବିବାରରୁ ଗାନ୍ଧୀ ନଗର ବଦଳରେ ରାୟଗଡ଼ା କଲେଜରେ ସ୍ବାବ ପରୀକ୍ଷଣ ପାଇଁ ନିଷ୍ପତ୍ତି ନେଇଛି। ଉଭୟ କେନ୍ଦ୍ରରେ ୧୬୦ରୁ ଉର୍ଧ୍ବ ସ୍ବାବ ପରୀକ୍ଷଣ ହେଉଥିବା ବେଳେ ଏବେ ରାୟଗଡ଼ା କଲେଜ କେନ୍ଦ୍ରରେ ୧୫୦ ସ୍ବାବ ପରୀକ୍ଷଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଯୋଜନା କରିଛି। ସେହିପରି ଇନ୍ଦିରା ନଗର ପରୀକ୍ଷା କେନ୍ଦ୍ରରେ ପୂର୍ବ ପରି ୮୦ ସ୍ବାବ ସଂଗ୍ରହ କରି ପରୀକ୍ଷା କରାଯିବ।